କନକ ବ୍ୟୁରୋ : କରୋନା ପାଇଁ ୨୦୨୦ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହୋଇଛି। ଶିକ୍ଷାବର୍ଷ ଅଧା ସରି ଯାଇଥିଲେ ମଧ୍ୟ ଏବର୍ଷ କ୍ଲାସରୁମ୍ ଶିକ୍ଷା ଆଗେଇ ପାରିନାହିଁ। କେବେଠାରୁ ଆରମ୍ଭ ହେବ, ସେନେଇ ସମସ୍ତେ ଦ୍ବନ୍ଦ୍ବରେ। କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ଏ ବିଷୟରେ ସ୍ପଷ୍ଟ କରିପାରୁ ନାହାନ୍ତି। ସମସ୍ତଙ୍କ ମୁହଁରେ ଏକପ୍ରକାର ତାଲା।
ଏଭଳି ସମୟରେ ୨୦୨୧ରେ କିଭଳି ପାଠପଢ଼ା ହେବ ?, ଛୁଟି ସମୟରେ ବି କ୍ଲାସ ହେବ କି ? ଗ୍ରୀଷ୍ମ ଛୁଟି, ଦଶହରା ଛୁଟି ଆଦି ବାତିଲ୍ କରାଯିବ କି ? ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏମିତି ଅନେକ ଆଶଙ୍କା ପ୍ରକାଶ ପାଉଥିବା ବେଳେ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ୨୦୨୧ ମସିହା ଲାଗି ଛୁଟି ତାଲିକା ପ୍ରକାଶ କରାଯାଇଛି। ୨୦୨୧ରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ପାଇଁ ୮୨ଦିନ ସ୍କୁଲ ଛୁଟି ରହିବ। ୩୮ ଦିନ (ମେ’ ୬ରୁ ଜୁନ୍ ୧୮ ଯାଏ) ଗ୍ରୀଷ୍ମ ଛୁଟି ରହିବ। ୮୨ ଦିନ ଛୁଟି ମଧ୍ୟରୁ ୯ ଦିନ ସ୍କୁଲରେ ଉତ୍ସବ ପାଳନ କରାଯିବ। ଯେପରିକି ସରସ୍ବତୀ ପୂଜା, ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ବାଧୀନତା ଦିବସ, ଗୁରୁ ଦିବସ, ଗଣେଶ ପୂଜା, ଗାନ୍ଧୀ ଜୟନ୍ତୀ ଓ ଶିଶୁ ଦିବସ। ଉକ୍ତ ଦିନଗୁଡ଼ିକ ସ୍କୁଲ ଖୋଲା ରହିବ ଏବଂ ଶିକ୍ଷକ/ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବେ।
୨୦୨୧ରେ ଗ୍ରୀଷ୍ମ ଛୁଟି ବ୍ୟତୀତ ଚଳିତବର୍ଷ ୯ ଦିନ ପୂଜା ଛୁଟି ରହିବ। ଅକ୍ଟୋବର ୧୧ରୁ ୨୦ତାରିଖ ଯାଏ ପୂଜା ଛୁଟି, ଡିସେମ୍ବର ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ବଡ଼ଦିନ ଛୁଟି ହେବ ବୋଲି ସୂଚନା ଦିଆଯାଇଛି। ଅନ୍ୟ ଛୁଟି ଦିନଗୁଡ଼ିକ ଗୋଟିଏ ଦିନ ଲେଖାଏଁ ରହିଛି। ଦୁଇଟି ସ୍ଥାନୀୟ ଛୁଟି(ଲୋକାଲ ହଲିଡେ’) ରହିଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତୃପକ୍ଷମାନେ ଜାନୁଆରି ୨୦ ସୁଦ୍ଧା ସ୍ଥାନୀୟ ଛୁଟି ତାଲିକା ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନିକଟରେ ଦାଖଲ କରିବେ। ଦୋଳ ପୂର୍ଣ୍ଣିମା, ସ୍ବାଧୀନତା ଦିବସ, ଝୁଲଣ ପୂର୍ଣ୍ଣିମା, ଗୁରୁ ଦିବସ ଓ ଶିଶୁ ଦିବସ ରବିବାର ପଡ଼ୁଥିବାରୁ ଉକ୍ତ ଦିନଗୁଡ଼ିକୁ ଛୁଟି ତାଲିକାରେ ସ୍ଥାନିତ କରାଯାଇ ନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/9-17.jpg)