ପେପରଲେସ୍ ହେବ ବିଧାନସଭା : ଆଜିଠାରୁ ବିଧାନସଭା କର୍ମଚାରୀଙ୍କ ପ୍ରଶିକ୍ଷଣ; ଅନଲାଇନ ଫାଇଲ୍ ପରିଚାଳନା ଉପରେ ଟେନିଂ ଦେବ ଓକାକ୍  

କାଗଜ ଫାଇଲ୍ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ପଦକ୍ଷେପ 

48

କନକ ବ୍ୟୁରୋ : ପେପରଲେସ୍ ହେବ ବିଧାନସଭା । ଏଣିକି ସଚିବାଳୟ ପରି ଓସ୍ୱାସ୍ ସଫ୍ଟୱେର୍ ଜରିଆରେ ବିଧାନସଭାର ଫାଇଲ୍ କାମ ହେବ । ସେଥିପାଇଁ ଆଜିଠାରୁ ବିଧାନସଭା ସଚିବାଳୟ କର୍ମଚାରୀଙ୍କୁ ଓକାକ୍ ପକ୍ଷରୁ ପ୍ରଶିକ୍ଷଣ ଦିଆଯିବ । ଏଥିରେ କେବଳ କର୍ମଚାରୀ ନୁହନ୍ତି ଅନଲାଇନ୍ ଫାଇଲ୍ କାମର ପ୍ରଶିକ୍ଷଣ ବାଚସ୍ପତି ଓ ଉପବାଚସ୍ପତି ମଧ୍ୟ ଗ୍ରହଣ କରିବେ । ଏହାସହ ଆଗକୁ ହେବାକୁ ଥିବାଶୀତ ଅଧିବେଶନରେ ସଦସ୍ୟମାନେ ନିଜର ପ୍ରଶ୍ନ କେବଳ ଅନଲାଇନରେ ପଚାରି ପାରିବେ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । ପୂର୍ବଥର ପରି କୋଭିଡ୍ କଟକଣା ଭିତରେ ଏହି ଅଧିବେଶନ ଆୟୋଜିତ ହେବ ବୋଲି ସେ କହିଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ବିଧାନସଭା ଆକାଉଣ୍ଟ୍‌ସ ବିଭାଗ, ଅଫିସ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ୍‌, ସାଧାରଣ ଓ ଆନୁସଙ୍ଗିକ ବିଭାଗର କର୍ମଚାରୀଙ୍କୁ ଓସ୍‌ୱାସ୍‌ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏସବୁ ବିଭାଗର ଏଏସ୍‌ଓ, ଏସ୍‌ଓ, ଡେସ୍କ୍‌ ଅଫିସର, ଅନୁସଚିବ, ଉପଶାସନ ସଚିବ, ସଚିବଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏହାସହିତ ବାଚସ୍ପତି ଓ ଉପବାଚସ୍ପତି ବି ଅନ୍‌ଲାଇନ୍‌ ଫାଇଲ କାମ ପାଇଁ ପ୍ରଶିକ୍ଷଣ ନେବେ । ଓସ୍‌ୱାସ୍‌ ନେଟୱାର୍କ ପାଇଁ ବିଧାନସଭାର ପ୍ରତ୍ୟେକ ବିଭାଗରେ କମ୍ପ୍ୟୁଟର ଲଗାଇବା କାମ ସମ୍ପୂର୍ଣ୍ଣ ହୋଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ବିଧି ବିଭାଗ, ବିଧେୟକ ବିଭାଗ, ଲାଇବ୍ରେରୀ ଓ ଅନ୍ୟ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି ।

ଏବେ ନେଭା ଅପ୍ଲିକେସନ୍‌ ଜରିଆରେ ବିଧାନସଭାର ସଦସ୍ୟମାନଙ୍କୁ ତାରକା ଓ ଅଣତାରକା ପ୍ରଶ୍ନର ଉତ୍ତର ଯୋଗାଇ ଦିଆଯାଉଛି । ଏଥିପାଇଁ ବିଧାନସଭା ସଦସ୍ୟମାନଙ୍କୁ ଆଇପ୍ୟାଡ୍‌ ଯୋଗାଇ ଦିଆଯାଇଛି । ଇ-ବିଧାନସଭା କାମ ସମ୍ପୂର୍ଣ୍ଣ କରିବା ପାଇଁ ମୋଟ ୮ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଏହି ଅର୍ଥର ୬୦ ପ୍ରତିଶତ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ବହନ କରିବାକୁ ଥିବାବେଳେ ବାକି ୪୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ବହନ କରିବେ । ଏ ନେଇ ବ୍ୟୟ ବରାଦ ସରିଛି।

ଆସନ୍ତା ୨୦ ତାରିଖରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ଶୀତ ଅଧିବେଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡ୍‌ ପ୍ରକୋପ ଜାରି ରହିଥିବାରୁ ଗତ ମୋସୁମୀ ଅଧିବେଶନରେ ଯେପରି ସାମାଜିକ ଦୂରତା ରକ୍ଷା କରି ସଦସ୍ୟମାନଙ୍କ ପାଇଁ ଗୃହରେ ବ୍ୟବସ୍ଥା କରାଯାଇଥିଲା ଅନୁରୂପ ଭାବେ ଏଥରକ ବି ସମାନ ବ୍ୟବସ୍ଥା ଗ୍ରହଣ କରାଯିବ । ମୌସୁମୀ ଅଧିବେଶନରେ ଯେପରି ପ୍ରଶ୍ନକାଳ ରହି ନଥିଲା ସେହିପରି ନିୟମ ଶୀତଅଧିବେଶନରେ ବି ଦେଖିବାକୁ ମିଳିପାରେ ବୋଲି ଜଣାପଡ଼ିଛି ।