ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଆଜି ଅଣସରର ତ୍ରୟୋଦଶୀ ତିଥିରେ ହେବ ଘଣା ଓ ଖଳି ପ୍ରସାଦ ଲାଗି। ଶୁଦ୍ଧ ସୁଆରଙ୍କ ଦ୍ବାରା ପ୍ରସ୍ତୁତ ଦିବ୍ୟ ପ୍ରଲେପକୁ ଶ୍ରୀଅଙ୍ଗରେ ଲାଗି କରିବେ ଦଇତାପତି ସେବକ।

109

କନକ ବ୍ୟୁରୋ: ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଗଜପତି ମହାରାଜାଙ୍କୁ ଶ୍ରୀଜିଉଙ୍କ ସୁସ୍ଥ ହେବା ଖବର ଦିଆଯିବା ପରେ ରାଜପ୍ରାସାଦ ବିଜେ ସମ୍ପନ୍ନ ହୋଇଛି । ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି। ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ । ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର , ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହେବ । ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉ ମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହେବ ।

ଆଜି ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୁପା ପିଂଗଣରେ ରଖି ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିବେ । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହେବ । ଏଥିପୂର୍ବରୁ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ କରାଯିବ । ଶୁଦ୍ଧସୁଆର ଖଳିପ୍ରସାଦକୁ ନେଇ ଦଇତାପତିଙ୍କୁ ହସ୍ତାନ୍ତର କରିବା ପରେ ଆଜି ବିଳମ୍ବିତ ରାତିରେ ଏହି ଖଳିକୁ ଶ୍ରୀବିଗ୍ରହଙ୍କୁ ଦଇତାପତି ମାନେ ଲାଗି କରିବେ ।