ଶାନ୍ତିଶୃଙ୍ଖଳାରେ ସରିଲା ମହାପ୍ରଭୁଙ୍କ ବାହୁଡାଯାତ୍ରା । ସିଂହଦ୍ୱାରରେ ଲାଗିଲା ତିନି ରଥ । ରାସ୍ତାରେ ମାଉସୀଘରେ ପୋଡପିଠା ଖାଇଲେ ବଡଠାକୁର 

55

କନକ ବ୍ୟୁରୋ: ସରିଲା ଶ୍ରୀଜିଉଙ୍କ ନଅଦିନର ଗୁଣ୍ଡିଚାଯାତ୍ରା । ଜନ୍ମବେଦୀରେ ଲୀଳାଖେଳ ସାରି ଶ୍ରୀମନ୍ଦିର ରତ୍ନବେଦୀ ଅଭିମୁଖେ ବାହୁଡିଛନ୍ତି ଶ୍ରୀଜିଉ । ସକାଳଧୂପ ପୂଜା ପରେ ମଙ୍ଗଳାର୍ପଣ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ଧାଡି ପହଣ୍ଡି  । ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡି କରାଯାଇ ରଥ ଉପରକୁ ଅଣାଯାଇଥିଲା । ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ପରେ ସୁଭଦ୍ରା ଏବଂ ସବୁଠାରୁ ଶେଷର ଗଣ୍ଡିଚା ମନ୍ଦିରକୁ ରଥକୁ ପହଣ୍ଡି ହୋଇ ବାହୁଡି ଆସିଥିଲେ ଜଗତର ନାଥ ଜଗନ୍ନାଥ ।  ଦିନ ୧୨ଟା ପହଣ୍ଡି ଆରମ୍ଭ ପାଇଁ ସମୟ ନିର୍ଘଂଟ ହୋଇଥିଲେ ବି  ନିର୍ଧାରିତ ସମୟ ପୂର୍ବରୁ ରଥକୁ ଆସିଥିଲେ ଭାବର ଠାକୁର  କାଳିଆ ସାଆନ୍ତ । ଗତବର୍ଷ ଭଳି ଏଥର ମଧ୍ୟ ଭକ୍ତଙ୍କ ଗହଳି ଲାଗିନଥିଲା, ହରିବୋଲ ହୁଳହୁଳିରେ କମ୍ପି ଉଠିନଥିଲା ପରିସର, ହେଲେ ଭାବବିନୋଦିଆ ଠାକୁରଙ୍କ ଯୋଗୁଁ ଭାବମୟ ହୋଇ ଉଠିଥିଲା ପରିବେଶ ।

ରଥରେ ୩ ଠାକୁର ବିରାଜମାନ  କରିବା ପରେ ସୁସଜ୍ଜିତ ପାଲିଙ୍କିରେ ଆସିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ । ତିନି ରଥରେ ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରା ପହଁରା । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ତା ପରେ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି । ଏହାସହ ପୁରୀ ରଥ ଯାତ୍ରାରେ ରେକର୍ଡ କରିଛନ୍ତି ଗଜପତି । ଚଳିତବର୍ଷକୁ ମିଶାଇ  ସେ ଛେରାପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ।  ଛେରା ପହଁରା ପରେ ଚାରମାଳ ବନ୍ଧା ଏବଂ ଘୋଡ଼ା ଜୋଖା କରାଯାଇଥିଲା ।

ଚାରମାଳ ବନ୍ଧା ଓ ଘୋଡା ଯୋଖା ପରେ ଆରମ୍ଭ ହୋଇଥିଲା ରଥଟଣା ପ୍ରକ୍ରିୟା ।   ଦିନ ୪ଟା ରଥଟଣାରନିର୍ଧାରିତ ସମୟ ହୋଇଥିଲେ ବି ବହୁ ପୂର୍ବର୍ରୁ  ଆରମ୍ଭ ହୋଇଯାଇଥିଲା ରଥଟଣା ପ୍ରକ୍ରିୟା । ଘଂଟଘଂଟା ଓ ହରିବୋଲ ଧ୍ୱନି ମଧ୍ୟରେ ପ୍ରଥମେ ଗଡିଥିଲା ବଳଭଦ୍ରଙ୍କ ରଥ । ପରେ ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁରର ରଥକୁ ଶ୍ରୀମନ୍ଦିର ଯାଏଁ ଟାଣି ନେଇଥିଲେ । ଏହି ସମୟରେ ଚାରିଆଡେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ ।

ଭାଇଭଉଣୀଙ୍କ ସହ ଜନ୍ମବେଦୀରୁ ରତ୍ନବେଦୀକୁ  ଫେରିବାବେଳେ ମହାପ୍ରଭୁ  ମାଉସୀ ମାଆ ଘରେ ପୋଡପିଠା ଖାଇଥିଲେ । ବାହୁଡା ଯାତ୍ରାରୁ ଫେରିବାବେଳେ ବାଟରେ ଶ୍ରୀଜୀଉଙ୍କୁ ପୋଡପିଠା ଲାଗି ହେବା ପରମ୍ପରା ବହୁଦିନରୁ ରହିଆସିଛି । ଆଉ ବାହୁଡା ପର୍ବକୁ ଟିଭି ପରଦାରେ ଦେଖିବାର ସୌଭାଗ୍ୟ ପାଇଛନ୍ତି ଭକ୍ତ ।