କେଉଁ ଦଳ ସହିତ କିଏ ଅଛନ୍ତି ଲିଙ୍କରେ, ତାକୁ ନେଇ ବଢ଼ିଲା ଚର୍ଚ୍ଚା। ପ୍ରତାପ ଦେବ କହିଲେ, ବିଜେଡି ଲିଙ୍କରେ ଅଛନ୍ତି ବିଜେପିର ଅନେକ ନେତା

174

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତେଜୁଛି ରାଜନୀତି । କେଉଁ ଦଳ ସହ କେଉଁ ନେତା ଲିଙ୍କରେ ଅଛନ୍ତି ତାକୁ ନେଇ ଜାରି ରହିଛି ବୟାନବାଜି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆରମ୍ଭ କରିଥିବା ଏଭଳି ବୟାନବାଜି ପରେ ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ, ପୃଥୀରାଜ ହରିଚନ୍ଦନ କହିଛନ୍ତି- ବିଜେଡି ଦଳରେ ଅଛନ୍ତି ଶହେ ବିଭୀଷଣ । ବିଜେପିର ଏହି ଦାବି ଉପରେ ଜବାବ ରହିଛି ବିଜୁ ଜନତା ଦଳ ।

ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ନିର୍ବାଚନ ଆସିଲେ ଏମିତି ଚର୍ଚ୍ଚା ଆରମ୍ଭ ହୁଏ । ୨୦୧୯ ନିର୍ବାଚନ ପୂର୍ବରୁ ଏପରି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାର ପରିଣାମ କ’ଣ ହେଲା, ତାହା ସମସ୍ତେ ଜାଣନ୍ତି । ଏବେ ଯେଉଁ ଚର୍ଚ୍ଚା ହେଉଛି, ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ଆମର କିଛି ବିଧାୟକ ବିଜେପି ଲିଙ୍କରେ ଅଛନ୍ତି । ଆଉ ତାଙ୍କର କିଛି ବିଧାୟକ ଆମ ଲିଙ୍କରେ ଥିବା କଥା କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।

ସେପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଦମ୍ଭୋକ୍ତି ଦେଖାଇଛନ୍ତି । ବିଜେଡିର ବିଧାୟକମାନେ ବିଜେପି ସମ୍ପର୍କରେ ଥିବା କଥାରେ ସତ୍ୟତା ଥିବା କହିଛନ୍ତି ପୃଥ୍ୱୀରାଜ । ସେ କହିଛନ୍ତି, ବିଜେଡିରେ ୧୦୦ରୁ ଅଧିକ ବିଭୀଷଣ ଅଛନ୍ତି । ଆଉ ବିଜେଡିର ୮୦ ପ୍ରତିଶତ ନେତା ଦଳ ଛାଡ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି । ନିକଟରେ ଗଞ୍ଜାମ ଗସ୍ତରେ ଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ ତାଙ୍କ ଯୋଗାଯୋଗରେ ୧୧୭ ବିଜେଡି ବିଧାୟକ ଅଛନ୍ତି । ଏସବୁ ଭିତରେ ବିଜେପି ସାଂସଦ ଜୁଏଲ୍ ଓରାମ କହିଛନ୍ତି- ଆଗକୁ ବଡ଼ ଧରଣର ବିସ୍ପୋରଣ ହେବାକୁ ଯାଉଛି ।