କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ, କାହିଁକି ତାଙ୍କୁ ମାରିଲା, କ୍ରାଇମବ୍ରାଞ୍ଚ ତାର କାରଣ ଖୋଜି ପାଉନି । ଆଉ ଏତିକିବେଳେ ନଜର ଅଟକିଛି ଚୌଦ୍ୱାର ମଣ୍ଡଳ କାରାଗାରରେ ଥିବା ଅଭିଯୁକ୍ତ ଗୋପାଳ ଦାସ ଉପରେ । ସେ ଜେଲ ଭିତରେ କଣ କରୁଛି? ସ୍ୱାଭାବିକ ଭାବେ ଆଚରଣ କରୁଛି କି ନାହିଁ ? ଆଉ ବିଶ୍ୱସ୍ତ ସୂତ୍ରରୁ ଯାହା ସୂଚନା ମିଳୁଛି ତାହା ଆଶ୍ଚର୍ଯ୍ୟ କଲାଭଳି ।

ଗୋପାଳକୁ ମାନସିକ ରୋଗୀ ବୋଲି ପରିବାର ଲୋକ ଦାବି କରୁଥିଲେ ବି, ସୂଚନା ଅନୁସାରେ, ୭ଦିନ ରହିବା ପରେ ସେ ଚୌଦ୍ୱାର ଜେଲ ସହ ନିଜକୁ ଖାପଖୁଆଇ ସାରିଲାଣି । ୨ଦିନ ହେବ ପ୍ରାୟ ଗୋପାଳ ଯୋଗମୁଦ୍ରାରେ ବସୁଛି । ସୂଚନା ଅନୁସାରେ ସେଲ ଭିତରେ ଏମିତି ଯୋଗକରୁଛି ଗୋପାଳ । କେତେବେଳେ ଯୋଗମୁଦ୍ରାରେ ବସି ଧ୍ୟାନ କରୁଛି ତ ଆଉ କେତେବେଳେ ବିଭିନ୍ନ ପ୍ରକାରର ଯୋଗାସନ କରୁଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଭିଯୁକ୍ତ ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିଲେ ବି ସେଥିପାଇଁ ସେ ପଶ୍ଚାତାପ କରିବା ଭଳି ଅନୁଭୂତ ହେଉନାହିଁ । ସେ ସ୍ୱାଭାବିକ ଭାବେ ଖିଆପିଆ କରୁଛି । ସୂଚନା ଅନୁସାରେ, ସୋମବାର ସକାଳେ ନିତ୍ୟକର୍ମ ସାରିବା ପରେ ଜଳଖିଆରେ ଚୁଡା ସନ୍ତୁଳା ଖାଇଥିଲା । ଖାଇ ସାରିବା ପରେ ଖବର କାଗଜ ପଢ଼ିଥିଲା । ତାପରେ ଲଞ୍ଚରେ ଭାତ, ଡାଲି, ଆଳୁ ଓ ସୋୟାବିନ୍ ଖାଇଥିଲା ।

ଏସବୁ ଭିତରେ ଗୋପାଳ ଓ ତା ପରିବାରର ସମସ୍ତଙ୍କୁ ସୁରକ୍ଷାକୁ ନେଇ ହାଇକୋର୍ଟରେ ପହଁଞ୍ଚିଛି ମାମଲା । ଗୋପାଳ ଓ ତା ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇଦେବାକୁ ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି ଆଇନଜୀବୀ ସୁମନ୍ତ ସ୍ୱାଇଁ । ଏସବୁ ଭିତରେ ନବ ଦାସଙ୍କୁ ଅଭିଯୁକ୍ତ ଗୋପାଳ କାହିଁକି ମାରିଲା, ତାର ରହସ୍ୟ କିନ୍ତୁ ଖୋଲି ପାରୁନି । ଯାହାକୁ ଜାଣିବା ପାଇଁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି ଓଡିଶାବାସୀ ।