ଦିଲ୍ଲୀରେ ୩୨ବର୍ଷ ତଳେ ହୋଇଥିଲା ବିଶାଳ ଚାଷୀ ଆନ୍ଦୋଳନ : ୧୪ଟି ରାଜ୍ୟର ୫ଲକ୍ଷ ଚାଷୀ ଆନ୍ଦୋଳନରେ ହୋଇଥିଲେ ସାମିଲ 

156

କନକ ବ୍ୟୁରୋ : ଦିଲ୍ଲୀକୁ ମୁହାଁଇଥିବା ଚାଷୀଙ୍କ ଭିଡକୁ ଦେଖି ୩୨ ବର୍ଷ ତଳେ ହୋଇଥିବା ଚାଷୀ ଆନ୍ଦୋଳନ ଚର୍ଚ୍ଚାକୁ ଫେରିଛି । ୧୯୮୮ ଅକ୍ଟୋବର ୨୫ ତାରିଖରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହୋଇଥିଲା ବିଶାଳ ଚାଷୀ ସମାବେଶ । ୧୪ଟି ରାଜ୍ୟର ପ୍ରାୟ ୫ ଲକ୍ଷ ଚାଷୀ ମହେନ୍ଦ୍ର ସିଂ ଟିକାୟତଙ୍କ ନେତୃତ୍ୱରେ ଦିଲ୍ଲୀକୁ ମୁହାଁଇଥିଲେ । ବିଜୁଳି ଓ ଜଳସେଚନ ପାଇଁ ସରକାର ଧାର୍ଯ୍ୟ କରିଥିବା ଦର ବିରୋଧରେ ହୋଇଥିଲା ଏହି ବିରାଟ ଚାଷୀମେଳି ।

ବର୍ତ୍ତମାନର ମୋଦି ସରକାରଙ୍କ ଭଳି ସେତେବେଳେ ଆନ୍ଦୋଳନ କରି ଚାଷୀମାନେ ତତକାଳୀନ ରାଜୀବ ଗାନ୍ଧୀ ସରକାରଙ୍କ ଚିନ୍ତା ବଢାଇ ଦେଇଥିଲେ । କୃଷକ ଆନ୍ଦୋଳନକୁ ରୋକିବା ପାଇଁ ପୋଲିସ ମୁତୟନ ହୋଇଥିଲେ । ଏପରିକି ‘ଲୋନି’ରେ ପୋଲିସ ଗୁଳିରେ ଦୁଇଜଣ ଚାଷୀ ରାଜେନ୍ଦ୍ର ସିଂ ଓ ଭୂପି ସିଂଙ୍କ ମୃତ୍ୟୁ ହୋଇଥିଲା । ଦିଲ୍ଲୀର ବୋଟକ୍ଲବରେ ପହଂଚି ଚାଷୀମାନେ ୭ ଦିନ ଧରି ଆନ୍ଦୋଳନ କରିଥିଲେ । ଅକ୍ଟୋବର ୩୦ ରାତିରେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା । ହେଲେ ଚାଷୀ ନିଜ ଦାବିରୁ ଓହରି ନଥିଲେ କିମ୍ବା ଆନ୍ଦୋଳନରୁ ଉଠିନଥିଲେ ।

ଫଳରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥୀ ଲାଗି ହେବାକୁ ଥିବା ରାଲିକୁ ଲାଲକିଲ୍ଲା ପଛରେ ଥିବା ପଡିଆକୁ ସ୍ଥାନାନ୍ତର କରିବାକୁ ପଡିଲା । ଶେଷରେ ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ ରାଜୀବ ଗାନ୍ଧୀ ସରକାର । ଅକ୍ଟୋବର ୩୧ ତାରିଖରେ ଚାଷୀ ସଂଗଠନ ପକ୍ଷରୁ ରଖାଯାଇଥିବା ସମସ୍ତ ୩୫ଟି ଦାବିକୁ ମାନି ନେଇଥିଲେ ସେତେବେଳେର କଂଗ୍ରେସ ସରକାର । ଏବେ ଏହାର ପୁନରାବୃତି ହେବା ନେଇ ଆକଳନ କରାଯାଉଛି । ସରକାରଙ୍କ ସହ କୃଷକ ସଂଗଠନର ଆଲୋଚନାରୁ କୌଣସି ନିର୍ଯାସ ବାହାରୁ ନଥିବାରୁ ସରକାର ଏମାନଙ୍କ ସମସ୍ତ ଦାବି ମାନିନେବା ହିଁ ଏକମାତ୍ର ବିକଳ୍ପ ବୋଲି ଚର୍ଚ୍ଚା ହେଉଛି ।