ଦୁଷ୍କର୍ମ ମାମଲାରେ ଲିଙ୍ଗଗତ ସମାନତା ରହିବା ଉଚିତ୍। ଧାରା ୩୭୬କୁ କେରଳ ହାଇକୋର୍ଟଙ୍କ ବଡ ବୟାନ।

154

କନକ ବ୍ୟୁରୋ: ଦୁଷ୍କର୍ମ ମାମଲାରେ ଲିଙ୍ଗଗତ ସମାନତା ରହିବା ଉଚିତ୍ । ଗୋଟିଏ ବୈବାହିକ ବିବାଦ ମାମଲାର ଶୁଣାଣି କରି କେରଳ ହାଇକୋର୍ଟ ଦୁଷ୍କର୍ମ ମାମଲାର ସେକ୍ସନ ତଥା ଧାରା ୩୭୬ ର ଲିଙ୍ଗଗତ ସମାନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ମାମଲାର ଣୁଣାଣି ଜଷ୍ଟିସ୍ ଏ ମହମ୍ମଦ ମୁସ୍ତାକ ମୌଖିକ ଭାବେ କହିଛନ୍ତି, ଯଦି ଜଣେ ଯୁବକ ବିବାହର ମିଛ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଫସାଉଛି ଏବଂ ତାଙ୍କ ସହ ଶାରିରୀକ ସମ୍ପର୍କ ରଖୁଛି ତେବେ ତାଙ୍କୁ ତଦନ୍ତର ସାମ୍ନା କରିବାକୁ ପଡୁଛି । ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେଉଛି । ହେଲେ ଯଦି ଜଣେ ଯୁବତୀ ଏଭଳି କରୁଛି ତାଙ୍କୁ ତଦନ୍ତର ପରିସରଭୁକ୍ତ ହେବାକୁ ପଡୁନାହିଁ ।

ଛାଡପତ୍ର ହୋଇଥିବା ଏକ ଦମ୍ପତ୍ତିଙ୍କର ତାଙ୍କ ପିଲା ଉପରେ ଅଧିକାର ନେଇ ଏହି ମାମଲା କେରଳ ହାଇକୋର୍ଟରେ ବିଚାରଧୀନ ଅଛି । ମାମଲାର ଶୁଣାଣି ବେଳେ ବିବାହ ପୂର୍ବରୁ ସ୍ୱାମୀ ଜେଲ ଯାଇଥିବା ନେଇ କୋର୍ଟ ଜାଣିବା ପରେ ଜଷ୍ଟିସ୍ କହିଥିଲେ ଦୁଷ୍କର୍ମ ପାଇଁ ଥିବା ଧାରା ୩୭୬ରେ ଲିଙ୍ଗଗତ ସମାନତା ନାହିଁ । ଯୁବକଙ୍କ ବିରୋଧରେ ଅଭିଯୋଗ ଆସିଲେ ଦୁଷ୍କର୍ମ ମାମଲା ରୁଜୁ ହେଉଛି କିନ୍ତୁ ଯୁବତୀଙ୍କ ବିରୋଧରେ ସମାନ ଅଭିଯୋଗ ଆସିଲେ ବି ସେ ତଦନ୍ତ ପରିସରଭୁକ୍ତ ହେଉନାହାଁନ୍ତି । ଏହା କି ପ୍ରକାର ଆଇନ୍ ବୋଲି କୋର୍ଟ ପ୍ରଶ୍ନ କରିବା ସହ ଏଥିରେ ଲିଙ୍ଗଗତ ସମାନତା ରହିବା ଉଚିତ୍ ବୋଲି କହିଛନ୍ତି ।