କୃଷକ ଆନ୍ଦୋଳନ, କୃଷି ବିଲର ସଂଶୋଧନ ପାଇଁ ସରକାର ରାଜି । ସମ୍ପୁର୍ଣ୍ଣ ବିଲ୍ ପ୍ରତ୍ୟାହାର କରିବାକୁ ଜିଦରେ ଅଟଳ କୃଷକ

242

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ୧୦ ଦିନରେ ପହଂଚିଲାଣି । କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଜି ଏହାର ସମାଧାନ ପାଇଁ ୫ମ ଥର ବୈଠକ ଚାଲିଛି । ଏହି ବୈଠକରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ ଏହି ବୈଠକରେ ଅନ୍ୟ ସରକାରୀ ଅଧିକାରୀମାନେ ବି ଉପସ୍ଥିତ ରହିଛନ୍ତି । ବୈଠକ ଆରମ୍ଭରୁ କୃଷକ ସଂଗଠନ ମାନଙ୍କୁ ସମ୍ବୋଧିତ କରି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ କି ପାରିତ ହୋଇଥିବା କୃଷି ବିଲ୍ ର ସଂଶୋଧନ କରାଯାଇପାରେ, ମାତ୍ର ସମ୍ପୁର୍ଣ୍ଣ ବିଲ୍ କୁ ପ୍ରତ୍ୟାହାର କରାଯାଇ ପାରିବ ନାହିଁ । ଏଥିରୁ ସ୍ପଷ୍ଟ ହେବାକୁ ଯାଉଛି ଯେ ସରକାର ବିଲ୍ କୁ ନେଇ କୋହଳ ମନୋଭାବ ପୋଷଣ କରିବା ଆରମ୍ଭ କରିଛନ୍ତି ।
ସୂଚନା ମୂୁତାବକ ବୈଠକରେ କୃଷିମନ୍ତ୍ରୀ କୃଷିବିଲ୍ ର ସଂଶୋଧନ ପାଇଁ ରାଜି ହୋଇଛନ୍ତି । ଏହାକୁ ନେଇ ବୈଠକରେ ଉପସ୍ଥିତ ଥିବା କୃଷକ ନେତା ମାନେ କିନ୍ତୁ ଏଥିରେ ରାଜି ହୋଇ ନାହାନ୍ତି । ସେମାନେ ସମ୍ପୁଣ୍ଣ ର୍ ବିଲ୍ କୁ ସରକାର ପ୍ରତ୍ୟାହାର କରନ୍ତୁ ଭଳି ଦାବିରେ ଅଡି ବସିଛନ୍ତି । ଏଭଳି ଦାବି କୃଷକ ନେତା ମାନେ ସ୍ପଷ୍ଟ କରିବା ପରେ ସରକାରଙ୍କ ତରଫରୁ ଆଉଥରେ ଚିନ୍ତା କରିବାକୁ କୃଷକ ନେତା ମାନଙ୍କୁ କିଛି ସମୟ ଦିଆଯାଇଥିଲା । ଏହି ସମୟରେ କୃଷିମନ୍ତ୍ରୀ କହିଥିଲେ କି ସରକାର ତାଙ୍କ ମତ ଜଣାଇ ସାରିଛନ୍ତି । ଏହି କଥାରେ ଯଦି ଆପଣମାନେ ରାଜି ତାହେଲେ ଆଲୋଚନାକୁ ଆଗକୁ ବଢାଇବା ।
ସୂଚନା ଥାଉକି ୧୦ ଦିନ ଧରି ଚାଲିଥିବା କୃଷକ ମାନଙ୍କ ଆନ୍ଦୋଳନ ଭିତରେ ସରକାର ଓ କୃଷକ ସଂଗଠନ ୫ଥର ଆଲୋଚନାରେ ବସିଲେଣି । ହେଲେ ପ୍ରତି ଆଲୋଚନା ଶେଷରେ କିଛି ନିସ୍କର୍ସ ବାହାରୁ ନଥିବାରୁ ଏହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି । ଗୋଟିଏ ପଟେ ଆଲୋଚନା ବିଫଳ ତ ଅନ୍ୟପଟେ ଆନ୍ଦୋଳନ ତୀବ୍ରତର ହେଉଛି । ଦିଲ୍ଲୀ କୁ ସଂଯୋଗ କରୁଥିବା ପ୍ରାୟ ସମସ୍ତ ରାସ୍ତାରେ କୃଷକ ମାନେ ଧାରଣା ଦେଇଛନ୍ତି । ଫଳରେ ଦିଲ୍ଲୀର ସମସ୍ତ ପ୍ରବେଶ ପଥ ବନ୍ଦ ହୋଇଯାଇଛି । ଅନ୍ୟପଟେ ଆଜିର ବୈଠକରେ କିଛି ନିସ୍ପତ୍ତି ହୋଇ ନପାରିଲେ ଆସନ୍ତା ୮ ତାରିଖକୁ କୃଷକ ସଂଗଠନ ମାନେ ଭାରତ ବନ୍ଦର ଡାକରା ଦେଇଛନ୍ତି ।