କେନ୍ଦୁଝରର ମାଟି ତଳେ ଥାଇପାରେ ସୁନାଖଣି । ବାଂଶପାଳର ବିଭିନ୍ନ ସ୍ଥାନରେ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପକ୍ଷରୁ ସର୍ଭେ ।

ବୈାଦ୍ଧରେ ପୋଖରୀ ଖୋଳା ବେଳେ ମିଳିଲା ରତ୍ନପଥର, ଲାଗିଲା ଲୋକଙ୍କ ଭିଡ଼

375

କନକ ବ୍ୟୁରୋ: କେନ୍ଦୁଝରରେ ସୁନା ଖଣି ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଆହୁରି ଜୋରଦାର ହୋଇଛି, ଯେତେବେଳେ ବିଭିନ୍ନ ସ୍ଥାନରେ ସର୍ଭେକ୍ଷଣ ଆରମ୍ଭ କରିଛି ଜିଓ ଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ । କେନ୍ଦୁଝର ବାଂଶପାଳ ବ୍ଲକର ପାଖାପାଖି ୧୫ଟି ସ୍ଥାନରେ ସୁନା ଖଣିର ସନ୍ଧାନ ପାଇଁ ସର୍ଭେ କରାଯାଉଛି । ବଡ଼ ବଡ଼ ମେସିନ୍ ଦ୍ୱାରା ପାଖାପାଖି ୧୦୦ ମିଟର ଗଭୀରକୁ ଡ୍ରିଲ କରି ନମୁନା ସଂଗ୍ରହ କରାଯାଉଛି । ଏଥିପାଇଁ କ୍ୟାମ୍ପ ବସା ଯାଇ ଅଭିଜ୍ଞ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି । ସାଟେଲାଇଟ୍ ମ୍ୟାପିଂ ଜରିଆରେ ସ୍ଥାନ ନିରୂପଣ କରି ନମୁନା ସଂଗ୍ରହ କରାଯାଉଥିବା କୁହାଯାଉଛି ।

  • ବାଂଶପାଳ ମାଟି ତଳେ ରହିଛି କି ସୁନା?
  • କ’ଣ କହୁଛନ୍ତି ଭୂତତ୍ତ୍ୱ ବିଜ୍ଞାନୀ?

ଭୂତତ୍ତ୍ୱ ସଂପର୍କରେ ଅଧ୍ୟୟନ କରୁଥିବା ପ୍ରଫେସର ସୋମନାଥ ଖାୱସ କହିଛନ୍ତି, କର୍ଣ୍ଣାଟକ ଭଳି ଓଡ଼ିଶାର ମାଟିତଳେ ସୁନା ଖଣି ରହିଥିବା ସମ୍ଭାବନା ରହିଛି । ତାଙ୍କ ମତରେ…

  • କେନ୍ଦୁଝରରେ ନଈବାଲିରୁ ସୁନା କଣିକା ମିଳିଛି
  • ତେଣୁ ସୁନା ଖଣି ରହିଥିବା ଅନୁମାନ
  • ଖଣି ଖାଦାନରେ ଭର୍ତ୍ତି କେନ୍ଦୁଝର ଜିଲ୍ଲା
  • ଗଚ୍ଛିତ ଖଣିଜ ପଦାର୍ଥ ମଧ୍ୟରେ ସୁନା ରହିଥିବା ସମ୍ଭାବନା ଅଧିକ

କେନ୍ଦୁଝରରେ ସୁନା ଖଣି ଥିବା ନେଇ ସଂସଦ ଠାରୁ ବିଧାନସଭା ପର୍ଯ୍ୟନ୍ତ ଚର୍ଚ୍ଚା ହୋଇଛି । ବହୁ ବର୍ଷ ତଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଞ୍ଚଳରୁ ସୁନା ଖଣି ଖନନ ନେଇ ସର୍ଭେ ହୋଇଥିଲା । ଖନନ ବ୍ୟୟବହୁଳ ଆଶଙ୍କା କରି ସର୍ଭେ ଓ ତଦନ୍ତ କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା । ତେବେ ଯଦି କେନ୍ଦୁଝରରେ ସୁନା ଖଣିର ସନ୍ଧାନ ମିଳେ, ତେବେ ଓଡ଼ିଶା ପାଇଁ ଏକ ଖୁସି ଖବର ହେବ ।

ଅନ୍ୟପଟେ ମାଟି ତଳୁ ବାହାରୁଛି ରତ୍ନପଥର । ପୋଖରୀ ଖନନ ବେଳେ ମିଳୁଛି କେଜି କେଜି ରତ୍ନପଥର । ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତର ଶରଧାପାଲି ଗାଁରେ ପୋଖରୀ ଖନନ ବେଳେ ଏପରି ଖବର ସାମ୍ନାକୁ ଆସିଛି । ମାଟି ତଳୁ ଏପରି ରତ୍ନପଥର ବାହାରୁଥିବା ଖବର ଶୁଣି ଏହାକୁ ବୋହି ନେବା ପାଇଁ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ ଜମିଥିଲା । ଏହାପରେ ପ୍ରଶାସନ ଏଠାରେ ପହଞ୍ଚିବା ସହ ୧୪୪ ଧାରା ଜାରି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ବ୍ଲକ ପକ୍ଷରୁ ଶରଧାପାଲି ଗାଁରେ ମନରେଗା ଯୋଜନାରେ ବନ୍ଧ ଖନନ ହେଉଥିବା ସମୟରେ ଶ୍ରମିକମାନେ ବିଭିନ୍ନ ପ୍ରକାରର ରତ୍ନପଥର ଦେଖିବାକୁ ପାଇଥିଲେ । ଏହି ଘଟଣା ପ୍ରଚାର ହେବା ପରେ ସେଠାରେ ଶତାଧିକ ଲୋକ ଏକାଠି ହୋଇ ମାଟି ଖୋଳିବାକୁ ଲାଗିଥିଲେ । ଅନେକ ଲୋକ ବିଭିନ୍ନ ପ୍ରକାରର ରତ୍ନପଥର ପାଇ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିବା ସୂଚନା ମିଳିଛି । ଏପରିକି କିଛି ଲୋକ ସେହି ସ୍ଥାନକୁ ନିଜ କବଜାକୁ ନେବାକୁ ଚେଷ୍ଟା କରିଥିଲେ । ପରେ ପ୍ରଶାସନ ସେଠାରେ ପହଞ୍ଚି ସେହି ସ୍ଥାନକୁ ନିଜ ଅକ୍ତିଆରକୁ ନେବା ସହ ୧୪୪ଧାରା ଜାରି କରିଛି ।