ଭୂପେନ୍ଦ୍ର ପଟେଲ ହେବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ । ଖୁବଶୀଘ୍ର ମନ୍ତ୍ରୀମଣ୍ଡଳରେ ମଧ୍ୟ ହୋଇପାରେ ଅଦଳବଦଳ ।

138

କନକ ବ୍ୟୁରୋ: ବିଜୟ ରୂପାଣୀଙ୍କ ଇସ୍ତଫା ପରେ ଏବେ ଗୁଜରାଟକୁ ମିଳିଛି ନୂଆ ମୁଖ୍ୟମନ୍ତ୍ରୀ । ଆଜି ବିଜେପି ବିଧାୟକ ଦଳ ବୈଠକରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପନ୍ଦ୍ରେ ପଟେଲଙ୍କ ନାଁ ସ୍ଥିର ହୋଇଛି । ତାଙ୍କ ନାଁକୁ ଖୋଦ୍ ବିଜୟ ରୂପାଣୀ ହିଁ ପ୍ରସ୍ତାବ ଦେଇଥିଲେ । ତେବେ ଭୂପେନ୍ଦ୍ର ପଟେଲଙ୍କ ପୂର୍ବରୁ ଗୁଜରାଟ ମୁଖ୍ୟମନ୍ତ୍ରୀ ରେସରେ ଅନ୍ୟ କିଛି ନେତା ମଧ୍ୟ ରହିଥିଲେ । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ପୁରୁଷୋତ୍ତମ ରୂପାଲା, ନୀତିନ ପଟେଲ, ସିଆର ପାଟିଲ ପ୍ରମୁଖ ମୁଖ୍ୟମନ୍ତ୍ରୀ ଦୌଡରେ ଆଗରେ ରହିଥିଲେ । ହେଲେ ସମସ୍ତଙ୍କୁ ଚମକାଇ ଏବେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ନାଁ ଆଗକୁ ଆସିଛି ।

ଭୂପେନ୍ଦ୍ର ପଟେଲ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ଥିର ହେବା ପରେ ଏବେ ଗୁଜରାଟ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ଅଦଳ ବଦଳ ହେବା ନେଇ ଖବର ମିଳୁଛି । ବର୍ତ୍ତମାନ ମନ୍ତ୍ରୀ ଥିବା ଅନେକ ନେତାଙ୍କୁ ହଟାଇ ଦଳ କିଛି ନୂଆ ମୁହଁକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେଣୁ ଦଳ କେଉଁ ଚେହେରାକୁ ନେଇ ଏବେ ଆଗାମୀ ଇଲେକ୍ସନକୁ ଓହ୍ଲାଇବ ତାକୁ ନେଇ ମଧ୍ୟ ଏବେ ରାଜନୀତି କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଗତକାଲି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ବହୁ ନିକଟତମ ନେତା ଭାବେ ପରିଚିତ ବିଜୟ ରୂପାଣୀ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଶନିବାର ଦ୍ୱିପହରରେ ବିଜୟ ରୂପାଣୀ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟିବା ସହିତ ନିଜର ଇସ୍ତଫା ପତ୍ର ଦେଇଥିଲେ । ଏହାପରେ ରାଜ୍ୟରେ ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚର୍ଚ୍ଚା ଲାଗି ରହିଥିଲା । ହେଲେ ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣି ଭୂପେନ୍ଦ୍ର ପଟେଲ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ଥିର ହୋଇଛି ।