କନକ ବ୍ୟୁରୋ: ଜଣେ ମାତ୍ର ଶିକ୍ଷକରେ ଚାଲିଛି ସ୍ମାର୍ଟ ସ୍କୁଲ । ପିଲାମାନେ କେବଳ ଗଣିତ ହିଁ ପଢୁଛନ୍ତି । କାରଣ ଏଠାରେ କେବଳ ଗଣିତ ଶିକ୍ଷକ ହିଁ ଅଛନ୍ତି । ଶିକ୍ଷକ ଅଭାବରୁ ଅନ୍ୟ ସବୁ ବିଷୟରେ ବହି ଖୋଲା ହୋଇନାହିଁ । ଗଣିତ ପଢାଉଥିବା ଶିକ୍ଷକ ହିଁ ପ୍ରଧାନ ଶିକ୍ଷକ । ପିଲାଙ୍କୁ ପାଠ ପଢାଇବା ସହ ବିଦ୍ୟାଳୟର ସମସ୍ତ କାଗଜପତ୍ର କାମ କରୁଛନ୍ତି । ଯେଉଁଦିନ ବିଦ୍ୟାଳୟ କାଗଜପତ୍ର କାମରେ ଶିକ୍ଷକ ରହୁଛନ୍ତି ସେ ଦିନ ପାଠପଢା ବନ୍ଦ ହେଉଥିବା ଛାତ୍ରଛାତ୍ରୀ କହିଛନ୍ତି ।

Advertisment

ଫାଇଭ-ଟି ରୂପାନ୍ତିକରଣ ପ୍ରକ୍ରିୟାରେ ଗଂଜାମ ଜିଲ୍ଲା ବୁଗୁଡା ବ୍ଲକ ମହାମୟୀ ଉଚ୍ଚ ବିଦ୍ୟାଳୟର ଭିତିଭୂମି ବଦଳଛି । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ଆଧୁନିଲ ଲାବ୍ରୋଟାରୀ, ଇ-ଲାଇବ୍ରେରୀ କରାଯାଇଛି । ଏଥିପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ ହୋଇଛି । କିନ୍ତୁ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଯାହା ନିହାତି ଆବଶ୍ୟକ ତାହା ନାହିଁ । ଏଠାରେ ଶିକ୍ଷକ ନାହାନ୍ତି । କେବଳ ପ୍ରଧାନ ଶିକ୍ଷକ ଅଛନ୍ତି । ସେ ଏକା ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ଗଣିତ ପଢାଉଛନ୍ତି । ନବମରେ ୭୩ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଦଶମରେ ୭୨ ଜଣ ପିଲା ଏହି ବିଦ୍ୟାଳୟରେ ଅଛନ୍ତି । ଶିକ୍ଷକଙ୍କ ଅଭାବରୁ ଫାଇଭ-ଟିର ସ୍ମାର୍ଟ ସ୍କୁଲରେ ଶିକ୍ଷାଦାନ ସଂପୂର୍ଣ୍ଣ ଅଟକି ଯାଇଛି । କେବଳ ଏହି ଗୋଟିଏ ବିଦ୍ୟାଳୟ ନୁହେଁ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ୨୭ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବା ଜଣାପଡିଛି ।