କନକ ବ୍ୟୁରୋ: ବିଜେଡିରେ ସବୁ କିଛି ଠିକ୍ ଠାକ୍ ଚାଲିନାହିଁ । ମମତା ମହନ୍ତ ବିଜେଡି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେଡି ସଂସଦୀୟ ଦଳ ଦୁଇ ଫାଳ ହୋଇଥିବା ଚର୍ଚ୍ଚା ହେଉଛି । ବିଜେପି ପ୍ରତି ନିଆରା ଆଭିମୁଖ୍ୟ ଦେଖାଉଛନ୍ତି ଅଲଗା ଅଲଗା ସାଂସଦ ।

Advertisment

ବିଜେଡିକୁ ଚକମା ଦେଇ ବିଜେପି ଶିବିରକୁ ଜମ୍ପ ମାରିଥିଲେ ମମତା ମହନ୍ତ । ଯାହାର ଟିକିଏ ବି ସୁରାଗ ପାଇନଥିଲା ବିଜେଡି କ୍ୟାମ୍ପ ।ଏବେ ମମତା ମହନ୍ତ ଘଟଣାର ପୁଣିଥରେ ପୁନରାବୃତ୍ତି ହେବାର ଯଥେଷ୍ଟ ସମ୍ଭାବନା ବଢିଛି । ଯେତେବେଳେ ମୋଦୀ ସରକାରଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ବିଜେଡି ସାଂସଦ ସୁଜିତ କୁମାର । ନଜର ପକାନ୍ତୁ ଏହି ଦୁଇଟି ସୋସିଆଲ ମିଡ଼ିଆ ପୋଷ୍ଟ ଉପରେ ।

ଗୋଟିଏ ପଟେ ସୁଜିତ କୁମାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଫଟୋ ଛାଡି କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାକୁ ଅନୁମୋଦିତ ହୋଇଥିବା ରେଳ ପ୍ରକଳ୍ପ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ବିଜେଡି ସାଂସଦ ମାନସ ମଙ୍ଗରାଜ, ଓଡ଼ିଶାରେ ୮ ବର୍ଷ ହେବ ନୂଆ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିନଥିବା ବେଳେ ପୁରୁଣା ପ୍ରକଳ୍ପକୁ ପୁଣିଥରେ ଘୋଷଣା କରାଯିବାକୁ ନେଇ କଟାକ୍ଷ କରିଛନ୍ତି । ବିଜେଡି ସାଂସଦଙ୍କ ଭିନ୍ନ ମତକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ତେଜିଛି ।

ସଂସଦୀୟ ଦଳ ବୈଠକରେ ବିଜେଡି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା, କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ବିଜେପିକୁ ଘେରିବ। ଆବଶ୍ୟକ ପଡିଲେ ଗୃହର ମଧ୍ୟଭାଗକୁ ଆସି ଜୋରଦାର ପ୍ରତିବାଦ କରିବ । ଯାହାର ପ୍ରତିଫଳନ ସଂସଦରେ ଦେଖିବାକୁ ମିଳିଥିଲା । ହେଲେ ମମତା ମହନ୍ତ ବିଜେଡି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ବିଜେଡି ସଂସଦୀୟ ଦଳ ଦୁଇ ଫାଳ ହୋଇଥିବା ଚର୍ଚ୍ଚା ହେଉଛି । ଯାହାକୁ ବଳ ଦେଇଛି ସୁଜିତଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ । ଗୋଟିଏ ଦଳର ୨ ସାଂସଦଙ୍କ ଭିନ୍ନ ଆଭିମୁଖ୍ୟ ସଂକେତ ଦେଉଛି ବିଜେଡିରେ ଏବେ ସବୁକିଛି ଠିକଠାକ୍ ନାହିଁ। ଅନ୍ୟପଟେ ବିଜେଡିର ଅନେକ ନେତା ବିଜେପି ଲିଙ୍କରେ ଥିବା ଦାବି କରିଛନ୍ତି ଦଳର ବରିଷ୍ଠ ବିଧାୟକ ଭାସ୍କର ମଢେଇ । ନିର୍ବାଚନ ଫଳାଫଳ ପରେ ସୁଜିତ ସୋସିଆଲ ମିଡ଼ିଆରେ ଲେଖିଥିଲେ, ପ୍ରଭୁ ଜଗନ୍ନାଥ ସବୁ ସହିବେ କିନ୍ତୁ କାହାର ଗର୍ବ ଅହଙ୍କାର ସହନ୍ତି ନାହିଁ । ଏବେ ପୁଣିଥରେ ସୁଜିତଙ୍କ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ବିଜେଡି କ୍ୟାମ୍ପରେ ସନ୍ଦେହ ବଢିଛି ।