ଓଡ଼ିଶା ପାଇଁ ଭଲ ଖବର । ୩୫ ଜଣ ଆକ୍ରାନ୍ତଙ୍କ ଠାରେ ନାହିଁ କରୋନା ଲକ୍ଷଣ । ୨ ଜଣଙ୍କର ଚାଲିଛି ଡାକ୍ତରୀ ଚିକିତ୍ସା । ଆକ୍ରାନ୍ତଙ୍କ ମଧ୍ୟରେ ମାତ୍ର ୮ ପ୍ରତିଶତ ବୟସ୍କ ବ୍ୟକ୍ତି

6,210

କନକ ବ୍ୟୁରୋ: ୩୫ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ନାହିଁ କୌଣସି ଲକ୍ଷଣ । କାଶ, ଛିଙ୍କ କିମ୍ବା ଜର ଭଳି କୌଣସି ଲକ୍ଷଣ ସେମାନଙ୍କ ଦେହରେ ନାହିଁ । ୫୦ ଜଣଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଲକ୍ଷଣ ନଥିଲା । ମାତ୍ର ପ୍ରତିଶେଧକ ପାଇଁ ସେମାନଙ୍କ ଉପରେ ରଖାଯାଇଛି । କାଲି ୧୦ ଜଣ ଏବଂ ପୂର୍ବରୁ ୨ ଜଣ ମୋଟ ୧୨ ଜଣ ଧିରେଧିରେ ସୁସ୍ଥ ହୋଇଛନ୍ତି । ତେଣୁ ଅନ୍ୟ ସମସ୍ତ ଆକ୍ରାନ୍ତ ଆଗାମୀ ଦିନରେ ସୁସ୍ଥ ହେବେ ବୋଲି ଆଶା । ଏମିତି କହି ରାଜ୍ୟବାସୀଙ୍କ ମନରେ ଆଶା ସଞ୍ଚାର କରିଛନ୍ତି ନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ତେବେ କରୋନା ସହ ଲଢୁଥିବା ଓଡିଶା ସରକାରଙ୍କ ନୂଆ ତଥ୍ୟ ସମସ୍ତଙ୍କ ମନରେ ଆଶା ସଂଚାର କରିଛି । ଗତକାଲି ଗୋଟିଏ ଦିନରେ ୧୦ ଜଣ ସୁସ୍ଥ ହୋଇ ଡିସଚାର୍ଜ ହେବାକୁ ଯାଉଥିବା ବେଳେ ଖୁବଶୀଘ୍ର ଅନ୍ୟମାନଙ୍କୁ ମଧ୍ୟ ଡିସଚାର୍ଜ କରାଯିବ ବୋଲି ସଂକେତ ଦେଇଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ । ଦିଆଯାଇଥିବା ତଥ୍ୟ ଅନୁସାରେ ଏବେ ରାଜ୍ୟରେ ୩୭ଟି ଆକ୍ଟିଭ କେସ ରହିଛି । ଅର୍ଥାତ୍ କରୋନା ଆକ୍ରାନ୍ତ ୩୭ ଜଣ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ତଥ୍ୟ ଅନୁସାରେ, ଏମାନଙ୍କ ମଧ୍ୟରୁ ୩୫ ଜଣଙ୍କ ନିକଟରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ଏମାନଙ୍କ ଶରୀରରେ ଥଣ୍ଡା, ଜ୍ୱର, କାଶ ଭଳି କୈାଣସି ଲକ୍ଷଣ ନାହିଁ । ତେଣୁ ଏମାନଙ୍କ ରିପୋର୍ଟ ନେଗେଟିଭ ଆସିଲେ ଖୁବଶୀଘ୍ର ଡିସଚାର୍ଜ କରିବାକୁ ସରକାର ନିଷ୍ପତି ଗ୍ରହଣ କରିବେ ବୋଲି ସଂକେତ ଦିଆଯାଇଛି ।

ଯେହେତୁ ଏମାନଙ୍କ ନମୁନା ପଜିଟିଭ ଆସିଥିଲା, ତେଣୁ ଏମାନଙ୍କୁ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇଛି । ଫଳରେ ଏମାନଙ୍କ ସଂସ୍ପର୍ଶରେ ଆସି ପରିବାର ସଦସ୍ୟ ବା ଆଉ କେହି ଆକ୍ରାନ୍ତ ହେବେ ନାହିଁ । ତେବେ ୨ ଜଣଙ୍କର ହସ୍ପିଟାଲରେ ଚିକିତ୍ସାର ଆବଶ୍ୟକତା ଥିବାରୁ, ସେମାନଙ୍କ ଡାକ୍ତରୀ ସେବା ଯୋଗାଇ ଦିଆଯାଉଛି । ଅନ୍ୟପଟେ ୬୦ ବର୍ଷରୁ ଅଧିକ ବୟସର କରୋନା ଆକ୍ରାନ୍ତଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଅନେକ ରିପୋର୍ଟ କହୁଛି । ଆଉ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ୮ପ୍ରତିଶତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଥିବା ସୂଚନା ଦେଇଛନ୍ତି ଶାଳିନୀ ପଣ୍ଡିତ ।