କନକ ବ୍ୟୁରୋ: ସମସ୍ୟା ଘେରରେ କଙ୍କଡାହାଡ଼ ଗଣ୍ଡିଖୋଲ ଗାଁ । ଯିବା ଆସିବା କରିବାକୁ ଭଲ ରାସ୍ତାଟିଏ ନଥିବା ବେଳେ ପିଇବା ପାଣି ବି ମିଳୁନି । ସେହିଭଳି ଗାଁରେ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷା ସ୍ୱାସ୍ଥ୍ୟ । ଭଲ ରାସ୍ତାନଥିବାରୁ ଗୁରୁତର ଅବସ୍ଥାରେ ରୋଗୀଟିଏକୁ ବି ନେବା ସମ୍ଭବ ହୋଇପାରୁନି । ସମସ୍ୟା ନେଇ ବହୁବାର ଜଣାଯାଇଛି । ହେଲେ ପ୍ରତିଥର ଭଳି ଚଳିତଥର ମଧ୍ୟ ମିଳିଛି ପ୍ରତିଶ୍ରୁତି ।

Advertisment

ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଗାଁର ଲୋକେ । ବହୁବାର ଅଭିଯୋଗ ହୋଇଥିଲେ ବି କୌଣସି ସୁବିଧା ପହଞ୍ଚିପାରୁନି ଗାଁରେ । ଆଦିବାସୀ ବଣ ପାହାଡ ଘେରା କଙ୍କଡାହାଡର଼ ଗଣ୍ଡିଖୋଲ ଗାଁ । ଆଜି ବି ଗାଁକୁ ସଂଯୋଗ ହୋଇପାରିନି ପକ୍କା ସଡକ । ବସୁଧା ଯୋଜନାରେ ପାଣି ବି ମିଳିନି ଗାଁର ଲୋକଙ୍କୁ । ରାସ୍ତା ନଥିବାରୁ ଗୁରୁତର ଅବସ୍ଥାରେ ରୋଗୀଟିଏ ନେବା ବି ମୁସ୍କିଲ ହୋଇପଡୁଛି । ସମସ୍ୟା ଭିତରେ ଜୀବନ ଜୀବିକା ପାଇଁ ଅହରହ ସଂଘର୍ଷ କରୁଛନ୍ତି ଗାଁର ଲୋକମାନେ । କିଛି ଲୋକ ଜଙ୍ଗଲଜାତ ଦ୍ରବ୍ୟରୁ ଚଳୁଥିବା ବେଳେ କିଛି ବାହାର କାମ କରି ପେଟ ପୋଷୁଛନ୍ତି । ଗାଁରେ ୩୩ରୁ ଅଧିକ ପରିବାର ରହୁଛନ୍ତି । ହେଲେ ଘର ଖଣ୍ଡିଏ ବି ମିଳିପାରିନି ସେମାନଙ୍କୁ । ବହୁବାର ସମସ୍ୟା ନେଇ ଅଭିଯୋଗ କରିଛନ୍ତି । ହେଲେ ପ୍ରତିଥର ସମସ୍ତ ସମସ୍ୟା ଫାଇଲର ନାଲିଫିତା ତଳେ ରହିଯାଇଛି ।

ଏତିକିରେ ସରିନି ଗାଁର ଦୁଃଖ । ପାହାଡ଼ ପାଦ ଦେଶରେ ଥିବା ଗଣ୍ଡିଖୋଲ ଗାଁରେ ସ୍କୁଲ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରଟିଏ ନାହିଁ । ଗାଁରୁ ୩ରୁ ୪କିମି ଗଲେ ପଡେ ସ୍କୁଲ ଓ ଅଙ୍ଗନବାଡି । ଜଙ୍ଗଲ ରାସ୍ତା ଯୋଗୁ ସବୁବେଳେ ଯିବା ସମ୍ଭବ ହେଉନାହଁ । ସେପଟେ ଗାଁ ଉପର ମୁଣ୍ଡରୁ ଆସୁଥିବା ପାହାଡ଼ି ଝରଣା ଲୋକଙ୍କ ଆଶ୍ରା ଭରସା । ଏହି ଦୂଷିତ ପାଣି ପିଇ ଲୋକେ ରୋଗାକ୍ରାନ୍ତ ହୋଇପଡୁଛନ୍ତି । ସେପେଟ ଖୁବଶୀଘ୍ର ବିଡ଼ିଓଙ୍କ ସହିତ ଆଲୋଚନା କରି ଗାଁକୁ ଯାଇ ସମସ୍ୟାର ସମାଧାନ କରାଯିବାର ମିଳିଛି ପ୍ରତିଶ୍ରୁତି । ତେବେ ଗାଁର ସମସ୍ୟା ପ୍ରତି ଗୁରତ୍ୱ ଦିଆଯାଇ ସମାଧାନ କରିପାରିଲେ, ଗାଁର ସମସ୍ତ ଲୋକେ ଉପକୃତ ହୋଇପାରିବେ ।