ଜମିରେ ନାହିଁ ପାଣି, ଧାନ ଗଛ ଧରି ଜିଲ୍ଲା ମୁଖ୍ୟାଳୟରେ ପହଂଚିଲେ ଚାଷୀ: ମାଲକାନଗିରିରେ ହଜାର ହଜାର ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ
କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ମରୁଡି ଘୋଷଣା ଦାବୀ ନେଇ ଚାଷୀଙ୍କ ବିକ୍ଷୋଭ । ହାତରେ ଧାନ ଗଛ ନେଇ ମାଲକାନଗିରି ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ ହଜାର ହଜାର ଚାଷୀ । ଚଳିତ ବର୍ଷ ଅମଳ ପୁର୍ବରୁ ସ୍ୱଳ୍ପ ବୃଷ୍ଟି ଯୋଗୁ ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ଢେପ ଜମିରେ ଚାଷ କରିଥିବା ଚାଷୀମାନଙ୍କ ଧାନ ସମ୍ପୁର୍ଣ ନଷ୍ଟ ହୋଇ ଯାଇଛି । କେନାଲରେ ପାଣି ଛଡା ଯାଇଥିଲେ ହେଁ ଜମିରେ ପାଣି ପହଂଚି ପାରୁନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ମାଲକାନଗିରି ବ୍ଲକ ସମେତ ପଡିଆ, କାଲିମେଳା ଓ କୋରୁକୋଣ୍ଡା ବ୍ଲକର ପ୍ରଭାବିତ ଅଂଚଳକୁ ମରୁଡି ଘୋଷଣା ଦାବୀ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ଉତ୍ୟକ୍ତ ଚାଷୀମାନେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାନ ଗଛ ଫୋପାଡିଛନ୍ତି । ମରୁଡି ଘୋଷଣା ସମେତ ଚାଷୀଙ୍କ ରୁଣ ଛାଡ ଆଦି ୧୧ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରିଛନ୍ତି ।