କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି , ହେଲେ ବଦଳି ପାରିନି ଗାଁର ଚିତ୍ର । ଏବେ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏବେ ସଜବାଜ ହେଲେଣି ନେତା । ଏଥର ନିର୍ବାଚନରେ ଗାଁରେ ନେତାଙ୍କୁ ପୁରାଇ ନ ଦେବା ପାଇଁ ମନସ୍ଥ କଲେଣି ଲୋକେ ।

Advertisment

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପେଟଛିଲା ପଞ୍ଚାୟତ ୧୪ ନମ୍ବର ୱାର୍ଡ ଜ୍ୱାଇଁପଡାରେ ଏବେ ବି ଅପହଞ୍ଚ ସରକାରୀ ଯୋଜନା । ଦୀର୍ଘ ବର୍ଷ ପରେ ବି ଗାଁକୁ ଖଣ୍ଡେ ରାସ୍ତା ଟିଏ ନିର୍ମାଣ ହୋଇ ପାରିଲା ନାହିଁ । ନିର୍ବାଚନ ଆସିଲେ ଖାଲି ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ ହୋଇଯିବ ବୋଲି ପ୍ରତିଶ୍ରୁତି ମିଳେ । କିନ୍ତୁ ପ୍ରତିଶ୍ରୁତି ଖାଲି ପ୍ରତିଶ୍ରୁତିରେ ରହିଯାଏ ।

ବର୍ଷା ଦିନ ହେଲେ କାମ ସରିଲା ,ଗର୍ଭବତୀ ମହିଳାଟିଏ ଚିକିତ୍ସାଳୟକୁ ଯିବାକୁ ହେଲେ ଭାରରେ ବୋହି ନେବାକୁ ପଡେ ।  ଏ ନେଇ ଗ୍ରାମବାସୀ ମହିଳାମାନେ ଅଭିଯୋଗ କରିଛନ୍ତି । ରାସ୍ତା ନଥିବା କାରଣରୁ ଗାଁକୁ ଆଜି ଯାଏଁ ୧୦୮ ଆମ୍ବୁଲାନ୍ସ ଆସିପାରିଲାନି । ଗାଁର ବିକାଶ ପାଇଁ ସରକାର ଯୋଜନା ପରେ ଯୋଜନା ତିଆରି କରୁଛନ୍ତି, କିନ୍ତୁ ଯେମିତି ଜ୍ୱାଇଁପଡାରେ ସରକାରଙ୍କ ଯୋଜନା ଅପହଞ୍ଚ ହୋଇ ପଡିଛି ।

ଯେତେବେଳେ ଗାଁର ବିକାଶ ପାଇଁ କଂକ୍ରିଟି ରାସ୍ତା, ଗଲି ରାସ୍ତାରେ ଟାଇଲି ବିଛା ଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ହେଉଛି, ସେତେବେଳେ ଜ୍ୱାଇଁପଡାରେ ରାସ୍ତା ଟିଏ ନିର୍ମାଣ ହୋଇ ପାରୁନି ବୋଲି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ଜଣାଇବା ପରେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଗ୍ରାମର ମହିଳାମାନେ ନେଇଛନ୍ତି ବଜ୍ର ଶପଥ । ଗାଁରେ ଭଲ ରାସ୍ତାଟିଏ ନିର୍ମାଣ ନ ହେଲେ ଗାଁକୁ କୌଣସି ରାଜନେତାଙ୍କୁ ପୁରାଇ ନ ଦେବା ସହ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।