ସ୍ୱାଧୀନତାର ୭୫ ବର୍ଷ ପରେ ବି ଦୀପ ତଳ ଅନ୍ଧାର : ଗାଁକୁ ଯିବା ପାଇଁ ରାସ୍ତା ନାହିଁ

ପିଇବା ପାଣିର ବ୍ୟବସ୍ଥା ନାହିଁ, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ; ବର୍ଷା ହେଲେ ପିଲାଙ୍କ ପାଠ ପଢା ଠପ୍

88

କନକ ବ୍ୟୁରୋ : ସ୍ୱାଧୀନତାର ୭୫ ବର୍ଷ ପରେ ବି ଦୀପତଳ ଅନ୍ଧାର । ଗାଁକୁ ରାସ୍ତା ନାହିଁ କି ପିଇବାକୁ ପାଣି ନାହିଁ । ଆଉ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ । ଖୋଦ୍ ରାଜ୍ୟର ଉପକୂଳବର୍ତୀ ପୁରୀ ଜିଲ୍ଲାରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ତିଳିପଦାଗଡ ଗାଁକୁ ରାସ୍ତା ନାହିଁ କି ପିଇବା ପାଇଁ ପାଣି ନାହିଁ । ନିର୍ବାଚନ ଆସିଲେ ଗାଁକୁ ନେତା ଆସନ୍ତି, ପ୍ରତିଶ୍ରୁତିର ପାହାଡ ଛିଡା କରନ୍ତି । କିନ୍ତୁ ନିର୍ବାଚନ ସରିଲା ପରେ ସବୁକିଛି ଭୁଲିଯାଆନ୍ତି ।

ଏପରିକି ବର୍ଷା ହେଲେ ଛାତ୍ରଛାତ୍ରୀ ବି ସ୍କୁଲ କଲେଜ ଯାଇପାରୁନାହାନ୍ତି । ତିଳିପଦାଗଡ ଗାଁରେ ୨୦୦ରୁ ଅଧିକ ପରିବାର ରହୁଥିବାବେଳେ ହଜାରେରୁ ଅଧିକ ଲୋକ ରହୁଛନ୍ତି । ରାସ୍ତା ଅବସ୍ଥା ଏଭଳି ଶୋଚନୀୟ ହୋଇପଡିଛି ଯେ, କାହାର ଦେହ ଅସୁସ୍ଥ ହେଲେ ୨-୩ କିଲୋମିଟର ଟୋକେଇରେ ବୁହା ହୋଇ ଡାକ୍ତରଖାନା ଯିବାକୁ ପଡିଥାଏ । ଅଭିଯୋଗ ସମ୍ପର୍କରେ ବାରମ୍ବାର ପୁରୀ ଜିଲ୍ଲାପାଳ, ଗୋପ ବିଡିଓ, ସ୍ଥାନୀୟ ବିଧାୟକ ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ଅଭିଯୋଗ କଲେ ବି କୌଣସି ସୁଫଳ ମିଳିନାହିଁ ।