୫୦ ବର୍ଷ ହେଲା ଗାଁକୁ ନାହିଁ ରାସ୍ତା: ନଦୀ ପାର ହୋଇ ଯାତାୟତ କରୁଛନ୍ତି ଗ୍ରାମବାସୀ 

95

କନକ ବ୍ୟୁରୋ: ୫୦ ବର୍ଷ ଧରି ଗାଁକୁ ରାସ୍ତା ନାହିଁ । ନଦୀ ପାର ହୋଇ ଯାତାୟତ କରୁଛନ୍ତି ଗ୍ରାମବାସୀ । ଆମେ କହୁଛୁ ରାୟଗଡ଼ା ଜିଲ୍ଲାର କାହ୍ନୁଗୁଡ଼ା ଗାଁ କଥା । ଖରାଦିନେ ଆଣ୍ଠୁଏ ପାଣିରେ ତ ବର୍ଷା ଦିନେ ବିଛିନ୍ନାଚଂଳ ଭାବେ ଦିନ କାଟନ୍ତି ଏଠାକାର ଗ୍ରାମବାସୀ  । ତଥାପି ସ୍ଥାନିୟ ପ୍ରଶାସନ, ରାଜ୍ୟ ସରକାର କାହ୍ନୁଗୁଡା ଗ୍ରାମବାସୀଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି । ନଦୀ ପାର ହୋଇ ଗାଁକୁ ଯାତାୟତ କରିବା ଗ୍ରାମବାସୀଙ୍କ ଦୈନନ୍ଦିନ ସମସ୍ୟା ହୋଇଗଲାଣି । ଗାଁକୁ ବାଟ ଓଗାଳୁଥିବା ନଦୀ ଉପରେ ପୋଲ ନାହିଁ । ନଦୀରେ ଓହ୍ଲାଇ ପିଲାଠୁ ବୁଢା ପର୍ଯ୍ୟନ୍ତ ଗାଁ ଲୋକେ ନଦୀ ପାର ହୋଇଥାନ୍ତି  । ମେଡିକାଲକୁ ନେବା ପାଇଁ ଗର୍ଭବର୍ତୀ ମହିଳାଙ୍କୁ ହେଉ ଅଥବା ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ନଦୀ ପାର ହୋଇ ଯାଇଥାନ୍ତି  । ପଚାଂୟତ ଠାରୁ ଆରମ୍ଭ କରି ବ୍ଳକ ଓ ଜିଲ୍ଲା ପ୍ରଶାସନ, ସାଂସଦ, ବିଧାୟକ, ମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କେହି ଶୁଣି ନଥିଲେ । ତେବେ ଗ୍ରାମବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ନିଜ ପାଣ୍ଠିରୁ କାହ୍ନୁଗୁଡା ଠାରୁ କାପୁଗୁଡା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ଅନୁଦାନ ଦେଇଥିଲେ  । ପରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଏହାର ଶିଳାନ୍ନ୍ୟାସ କରିଥିଲେ । ତେବେ ଚଚଂକତା କରି ଠିକା ସଂସ୍ଥା କାହ୍ନୁଗୁଡା ପରିବର୍ତେ ନିକଟସ୍ଥ ଗାଁ ବାଟ ଦେଇ ରାସ୍ତା କାମ କରୁଥିବାରୁ କାହ୍ନୁଗୁଡା ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ  । ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ନିଜ ଦାବି ଜଣାଇଥିଲେ  । ସେପଟେ କାହ୍ନୁଗୁଡା ରାସ୍ତା ପ୍ରକଳ୍ପକୁ କାହିଁକି ଅନ୍ୟ ଦିଗରେ କରାଯାଉଛି, ତାହାର ଅନୁଧ୍ୟାନ କରିବି ବୋଲି ବିଧାୟକ ମକରନ୍ଦ ମୁଦୁଲି ପ୍ରକାଶ କହିଛନ୍ତି ।