କାଲି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ : ଉତ୍ତର ଓଡ଼ିଶା ଉପରେ ସତର୍କ ନଜର, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

192

କନକ ବ୍ୟୁରୋ : ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ନେଇ ଜଳସମ୍ପଦ ବିଭାଗ ସତର୍କ ଅଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଆଶଙ୍କା ଥିବା ସ୍ଥାନରେ ଇଞ୍ଜିନିୟରମାନେ ଘାଇ ଉପରେ ନଜର ରଖିଛନ୍ତି । ଜଳକା ଯୋଗୁ ତଳମୁଣ୍ଡରେ ୪ ଟି ଘାଇ ହୋଇଛି । ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ । ସମସ୍ତ ଆବଶ୍ୟକୀୟ ଉପକରଣ ମହଜୁଦ ରହିଛି । ଉପର ମୁଣ୍ଡରେ ବର୍ଷା ଅଳ୍ପ ଅଳ୍ପ ହେଉଛି । ମାତ୍ର ବର୍ତ୍ତମାନ ରାଜଘାଟ ଠାରେ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ରହିଛି ।

ସନ୍ଧ୍ୟା ସୁଦ୍ଧା ବିପଦ ସଙ୍କେତ ପର୍ଯ୍ୟନ୍ତ ଛୁଇଁପାରେ । ତଥାପି ସେମିତି କିଛି ଅସୁବିଧା ହେବାର ନାହିଁ । ମହନଦୀ ଅଵ ବାହିକାରେ ବର୍ତ୍ତମାନ ସେପରି କିଛି ସମସ୍ୟା ନାହିଁ । ହୀରାକୁଦର ଗେଟଗୁଡ଼ିକ ନିୟମ ମୁତାବକ ଖୋଲା ଯାଉଛି । ଜଳସ୍ତରକୁ ଦେଖି ଇଞ୍ଜିନିୟରମାନେ ଗାଇଡଲାଇନ ମୁତାବକ ଗେଟ୍ ଖୋଲୁଛନ୍ତି ବନ୍ଦ କରୁଛନ୍ତି, କେବେ ବି ୩ ରୁ ୪ ଘଣ୍ଟା ଭିତରେ ଗେଟ୍ ଖୋଲା ଯାଇ ବନ୍ଦ କରାଯାଉନି । ହୀରାକୁଦ ସ୍ଥିତି ବର୍ତ୍ତମାନ ଠିକ ଅଛି। ଉପର ମୁଣ୍ଡରେ ଏବେ ବର୍ଷା ନାହିଁ, କିନ୍ତୁ ପୂର୍ବାନୁମାନ ହୋଇଛି, ଏତେ ଆଗରୁ କିଛି କହି ହେବ ନାହିଁ । ତଳ ମୁଣ୍ଡରେ ବନ୍ୟାର ଆଶଙ୍କା ନାହିଁ। ହୀରାକୁଦ ପଟୁ ବନ୍ୟାର କୌଣସି ଆଶଙ୍କା ନାହିଁ। ବନ୍ଧ ନିୟନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ଆମେ ସତର୍କ ଅଛୁ ।