କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ ବିରାଟ କୋହଲି । ବିବାଦ ବଢିବା ପରେ ସାମ୍ବାଦିକ ସମ୍ମିଳନୀ କରି କଲେ ସ୍ପଷ୍ଟ କରିଛନ୍ତି କୋହଲି । ଦିନିକିଆ ସିରିଜରୁ ବ୍ରେକ୍ ନେବା ପାଇଁ ସେ ବିସିସିଆଇକୁ ସମୟ ମାଗିନଥିବା କହିଛନ୍ତି । ତାଙ୍କୁ ନେଇ ଯେଉଁ ଖବର ପ୍ରଚାର ହେଉଛି ତାହା ସଂପୂର୍ଣ୍ଣ ଭୁଲ । କୋହଲି କହିଛନ୍ତି, ସେ ଦିନିକିଆରେ ଅଧିନାୟକ ରହିବାକୁ ଚାହୁଁଥିଲେ । ହେଲେ ମନୋନୟନକାରୀ ତାଙ୍କ ନିଷ୍ପତି ନେଇଛନ୍ତି । ଆଉ ଏହି ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଉଛି । ମୁଁ ଦିନିକିଆ ସିରିଜ ଖେଳିବି ଏବଂ କ୍ରିକେଟ ଖେଳୁଥିବା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟର କ୍ଷତି ହେବାକୁ ଦେବି ନାହିଁ ।

Advertisment

ଏହାସହ କୋହଲି କହିଛନ୍ତି, ରୋହିତ ମଧ୍ୟ ଜଣେ ଭଲ ଅଧିନାୟକ । ଆଉ ଆମ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ମଧ୍ୟ ଜଣେ ଅନୁଭବୀ କ୍ରିକେଟର । ଉଭୟଙ୍କୁ ମୋ ତରଫରୁ ସମସ୍ତ ପ୍ରକାର ସହଯୋଗ ମିଳିବ । ବିସିସିଆଇ ଯାହା ବି ନିଷ୍ପତ୍ତି ନେଇଛି ଭାବିଚିନ୍ତି ନେଇଛି । ରୋହିତ ଓ ମୋ ମଧ୍ୟରେ କୌଣସି ବିବାଦ ନାହିଁ । ଆଉ ଏକଥାକୁ ବାରମ୍ବାର କହି ମୁଁ ମଧ୍ୟ ଥକି ଗଲିଣି ।

ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା । ଝିଅର ଜନ୍ମ ଦିନ ପାଇଁ ପରିବାର ସହ ସମୟ ବିତାଇବା ପାଇଁ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୋଲି ବିସିସିଆଇକୁ ଜଣାଇଥିବା କୁହାଯାଇଥିଲା । ଆହତ ଯୋଗୁ ରୋହିତ୍ ଶର୍ମା ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଛନ୍ତି । ବିରାଟ ଦିନିକିଆ ସିରିଜ୍ ନଖେଳିବା ଖବର ଆସିବା ପରେ ଦୁଇ ଅଧିନାୟକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଥିଲା ।