ଶ୍ରାବଣ ମାସରେ ଦେଖାନାହିଁ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଲା ଚାଷୀଙ୍କ ବିକଳ ଚିତ୍ର ।

144

କନକ ବ୍ୟୁରୋ: ଶ୍ରାବଣ ମାସରେ ବର୍ଷାର ଦେଖାନାହିଁ ଆଉ ଏଭଳି ସ୍ଥିତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ଘାରିଛି ଗଜା ମରୁଡି ଚିନ୍ତା । ବର୍ଷା ନ ହେବାରୁ ଜମି ଫାଟି ଆଁ କରିଛି । ଫଳରେ ଚାଷଙ୍କୁ ବଞ୍ଚାଇବା ପାଇଁ ଚାଷୀ କେଉଁଠି ନଦୀରେ ବନ୍ଧ ତିଆରି କରୁଛି ତ କେଉଁଠି ଦମକଳ ସହାୟତାରେ ଜମିରେ ପାଣି ମଡାଉଛି ।

  • ଶ୍ରାବଣରେ ବର୍ଷା ଉଭାନ୍
  • ଗଜା ମରୁଡି ଚିନ୍ତାରେ ଚାଷୀ

ଶ୍ରାବଣ ମାସରେ ଯେତେବେଳେ ଚାଷ ଜମି ଏମିତି ଫାଟି ଆଁ କରିବ ସେତେବେଳେ ଚାଷୀ କରିବ ବା କଣ । ଫସଲ ବଞ୍ଚାଇବା ପାଇଁ କେଉଁଠି ନଦୀରେ ବନ୍ଧ ବାନ୍ଧୁଛି ତ ଆଉ କେଉଁଠି ଦମକଳ ସହାୟତାରେ ପାଣି ମଡାଇବାକୁ ବାଧ୍ୟ ହେଉଛି ।

ଭେଡେନ ନଦୀର ସଇଡା ନିକଟରେ ବାଲି ବନ୍ଧ ପକାଇ ପାଣିକୁ ଅଟକାଇଛନ୍ତି କୁଚିଣ୍ଡା ଅଞ୍ଚଳର ଚାଷୀ । ବର୍ଷା ହେଉନଥିବାରୁ ଓ ଧାନ ଚାଷ ଜମି ଫାଟି ଆଁ କରିବା ପରେ ଏମିତି କରିବାକୁ ବାଧ୍ୟ ହୋଇଛନ୍ତି । ଗୋଟିଏ ପଟେ କମ୍ ବର୍ଷା ଆଉ ଗୋଟିଏ ପଟେ ମେଗା ଲିଫ୍ଟ ଅଚଳ ଚାଷୀଙ୍କ ଚିନ୍ତାଙ୍କୁ ବଢ଼ାଇ ଦେଇଛି । ଧାନ ଗଛ ମରିମରି ଆସୁଥିବାବେଳେ ଫସଲ ବଂଚାଇବା ପାଇଁ ପ୍ରଶାସନକୁ ଅପେକ୍ଷା ନକରି ଚାଷୀମାନେ ନିଜେ ନଦୀରେ ବନ୍ଧ ବାନ୍ଧିଛନ୍ତି ।

ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ମଧ୍ୟ କମ୍ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଠିକ ଧାନ ରୋଇବା ସମୟରେ ବର୍ଷା ଉଭାନ କାରଣରୁ ଅନେକ ଚାଷ ଜମି ରୁଆ ନହୋଇ ପଡି ରହିଥିବା ବେଳେ ତଳି ପୋଡି ଗଜା ମରୁଡି ସୃଷ୍ଟି ହୋଇଛି । ତଳି ପୋଡିଯିବାରୁ ମଟର ସହାୟତାରେ ପାଣି ମଡାଇବାକୁ ଉଦ୍ୟମ କରୁଛନ୍ତି ଚାଷୀ ।

ସେପଟେ ବର୍ଷା ଅଭାବରୁ ନିମାପଡା ଅଞ୍ଚଳରେ ମଧ୍ୟ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଜମି ଫାଟି ଆଁ କରିଥିବାବେଳେ ତଳି ପୋଡିଯିବାରେ ଲାଗିଲାଣି । ଯାହା ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ତେବେ କେବଳ ଏହି ଅଞ୍ଚଳ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଅଭାବ ଯୋଗୁଁ ସମାନ ଚିତ୍ର ଦେଖିବାକୁ ମିଳୁଛି । ଆଉ ଆଗକୁ ବର୍ଷା ସ୍ୱାଭାବିକ ନହେଲେ ଚାଷୀ ମୁଣ୍ଡରେ ଚଡକ ପଡିବାର ଆଶଙ୍କା ସୃଷ୍ଟି ହୋଇଛି ।