କନକ ବ୍ୟୁରୋ: ଚଳିତ ବର୍ଷ ଅନିଶ୍ଚିତ ବର୍ଷାକୁ ନେଇ ସଙ୍କଟରେ ଚାଷୀ । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଯେଉଁମାନେ ଧାନ ରୋଇବା ପାଇଁ ଧାନ ତଳି ପକାଇଛନ୍ତି, ଏବେ ଅଭାବୀ ବର୍ଷା ଯୋଗୁଁ ତଳି ଘେରା ଫାଟି ଆଁ କରିଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ନିମାପଡାରେ ଧାନ ଚାଷ ପ୍ରଭାବିତ ହୋଇଛି । ପାଣି ଅଭାବରୁ ତଳି ସବୁ ହଳଦିଆ ପଡ଼ିଗଲାଣି । ସେପଟେ କେତେକ ଚାଷୀ ସୁଖିଲା ଜମିକୁ ହଳ କରି ପ୍ରସ୍ତୁତ ରଖିଥିବା ବେଳେ ଅଧିକାଂଶ ଚାଷୀ ବର୍ଷା ହେଲେ ହଳ କରିବେ ବୋଲି ଅପେକ୍ଷା କରିଛନ୍ତି ।

Advertisment

ଶ୍ରାବଣରେ ମୁଣ୍ଡ ଫଟା ଖରା ସାଙ୍ଗକୁ ବର୍ଷାର ଲୁଚକାଳୀ ଖେଳ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ଚାଷୀଙ୍କ ପାଇଁ କାଳ ହୋଇଛି । ଶ୍ରାବଣ ମାସରେ ଚାଷ ଜମି ଗୁଡିକ ସବୁଜ ସୁନ୍ଦର ଦେଖାଯିବା କଥା, ହେଲେ ବର୍ଷା ଅଭାବରୁ ଏବେ ଶୁଖିଲା ପଡିଛି । ତେବେ ଜୁନ୍ ମାସରେ କଳାହାଣ୍ଡି ଜିଲ୍ଲାରେ ୨୬ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଆଗକୁ ଯଦି ବର୍ଷାଭାବ ଲାଗି ରୁହେ, ତେବେ ମରୁଡି ନିଶ୍ଚିନ୍ତ ବୋଲି ଚାଷୀମାନେ ଆଶଙ୍କା କଲେଣି ।

ଉପକୂଳ ଓଡିଶାରୁ ପଶ୍ଚିମ ଓଡିଶା, ସବୁ ଆଡେ ପାଣି ପାଇଁ ଚାଷ କାମ ପଛେଇ ଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକରେ ବର୍ଷା ଅଭାବରୁ ଗଜା ମରୁଡି ଆଶଙ୍କା କରିଛନ୍ତି ଚାଷୀ । ଆଷାଢ଼ ଯାଇ ଶ୍ରାବଣ ହେଲାଣି, ହେଲେ ପାଣି ଅଭାବରୁ ଚାଷ କାମ ଆଗେଇ ପାରୁନାହିଁ । ଏହି ସମୟରେ ଧାନ ରୁଆ ଓ ବେଉଷଣ ହେବା କଥା, ହେଲେ ଏଯାଏଁ ତଳି ପଡିପାରିନାହିଁ । ତେଣୁ ଚଳିତ ବର୍ଷର ଧାନ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଚାଷୀ । ଆସନ୍ତା ତିନିରୁ ଚାରି ଦିନ ଭିତରେ ବର୍ଷା ନହୁଏ ତେବେ ଏବର୍ଷ ଧାନ ଅମଳ ପ୍ରଭାବିତ ହେବ ବୋଲି ଚାଷୀମାନେ କହିଛନ୍ତି ।