କନକ ବ୍ୟୁରୋ: ଶ୍ରାବଣ ମାସରେ ଚାଷୀଙ୍କୁ ତର ନଥାଏ । ଜମିରେ ପାଣି କାଦୁଅରେ କାମ କରୁଥାଏ ଚଷା ପୁଅ । ହେଲେ ଚଳିତ ବର୍ଷ ସେ ଚିତ୍ର ବଦଳିଯାଇଛି । ଶ୍ରାବଣରେ ଜମି ଶୁଖିଲା ପଡିଛି । ବର୍ଷାର ଲୁଚକାଳି ଖେଳ ଯୋଗୁଁ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି । ଆଉ ଚାଷୀ ଚାଷ କାମ କରିବା ଆଗରୁ ମରୁଡି ଚିନ୍ତାରେ ଘାଣ୍ଟି ହେଉଛନ୍ତି ।

Advertisment

ପୁରୀ, କଳାହାଣ୍ଡି, କେନ୍ଦ୍ରାପଡା । ରାଜ୍ୟର ତିନି ଜିଲ୍ଲାରୁ ଆସିଥିବା ଦୃଶ୍ୟ ହିଁ କହୁଛି, ନିଅଁଣ୍ଟିଆ ବର୍ଷା ସଙ୍କଟ ସୃଷ୍ଟି କରିଛି । ଯେତେବେଳେ ଚାଷ ଜମି ସବୁଜ ଫସଲରେ ହସିବା କଥା ସେତିକି ବେଳେ ମାଟି ଫାଟି ଆଁ କରିଛି । ଯେଉଁଠି ଚାଷୀମାନେ ଧାନ ଚାଷ ପାଇଁ ଆଗୁଆ ତଳି ପକାଇଥିଲେ, ଏବେ ସେଗୁଡିକ ପାଣି ଅଭାବରୁ ହଳଦିଆ ପଡିଲାଣି । କେତେକ ସ୍ଥାନରେ ତଳି ମରିବାକୁ ବସିଲାଣି । କେତେକ ଚାଷୀ ସୁଖିଲା ଜମିକୁ ହଳ କରି ପ୍ରସ୍ତୁତ ରଖିଥିବା ବେଳେ ଅଧିକାଂଶ ଚାଷୀ ବର୍ଷା ହେଲେ ହଳ କରିବେ ବୋଲି ଅପେକ୍ଷା କରିଛନ୍ତି ।

ଶ୍ରାବଣରେ ମୁଣ୍ଡ ଫଟା ଖରା ସାଙ୍ଗକୁ ବର୍ଷାର ଲୁଚକାଳି ଖେଳ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ଚାଷୀଙ୍କ ପାଇଁ କାଳ ହୋଇଛି । ଶ୍ରାବଣ ମାସରେ ଚାଷ ଜମି ଗୁଡିକ ସବୁଜ ସୁନ୍ଦର ଦେଖାଯିବା କଥା, ହେଲେ ବର୍ଷା ଅଭାବରୁ ଏବେ ଶୁଖିଲା ପଡିଛି । ତେବେ ଜୁନ୍ ମାସରେ କଳାହାଣ୍ଡି ଜିଲ୍ଲାରେ ୨୬ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି । ଆଗକୁ ଯଦି ବର୍ଷାଭାବ ଲାଗି ରୁହେ, ତେବେ ମରୁଡି ନିଶ୍ଚିନ୍ତ ବୋଲି ଚାଷୀମାନେ ଆଶଙ୍କା କଲେଣି ।

ଚଳିତ ବର୍ଷ ଅନିଶ୍ଚିତ ବର୍ଷାକୁ ନେଇ ସଙ୍କଟରେ ଚାଷୀ । ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ । ଯେଉଁମାନେ ଧାନ ରୋଇବା ପାଇଁ ଧାନ ତଳି ପକାଇଛନ୍ତି, ଏବେ ଅଭାବୀ ବର୍ଷା ଯୋଗୁଁ ତଳି ଘେରା ଫାଟି ଆଁ କରିଛି । ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ ନିମାପଡାରେ ଧାନ ଚାଷ ପ୍ରଭାବିତ ହୋଇଛି । ପାଣି ଅଭାବରୁ ତଳି ସବୁ ହଳଦିଆ ପଡ଼ିଗଲାଣି । ସେପଟେ କେତେକ ଚାଷୀ ସୁଖିଲା ଜମିକୁ ହଳ କରି ପ୍ରସ୍ତୁତ ରଖିଥିବା ବେଳେ ଅଧିକାଂଶ ଚାଷୀ ବର୍ଷା ହେଲେ ହଳ କରିବେ ବୋଲି ଅପେକ୍ଷା କରିଛନ୍ତି ।

ଉପକୂଳ ଓଡିଶାରୁ ପଶ୍ଚିମ ଓଡିଶା, ସବୁଆଡେ ପାଣି ପାଇଁ ଚାଷ କାମ ପଛେଇ ଯାଇଛି । କେନ୍ଦ୍ରାପଡା ଜିଲ୍ଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡା ବ୍ଲକରେ ବର୍ଷା ଅଭାବରୁ ଗଜା ମରୁଡି ଆଶଙ୍କ କରିଛନ୍ତି ଚାଷୀ । ଆଷାଢ଼ ଯାଇ ଶ୍ରାବଣ ହେଲାଣି, ହେଲେ ପାଣି ଅଭାବରୁ ଚାଷ କାମ ଆଗେଇ ପାରୁନାହିଁ । ଏହି ସମୟରେ ଧାନ ରୁଆ ଓ ବେଉଷଣ ହେବା କଥା, ହେଲେ ଏଯାଏଁ ତଳି ପଡିପାରିନାହିଁ । ତେଣୁ ଚଳିତ ବର୍ଷର ଧାନ ଚାଷକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ଚାଷୀ । ତେବେ ଆସନ୍ତା ତିନିରୁ ଚାରି ଦିନ ଭିତରେ ବର୍ଷା ନହୁଏ ତେବେ ଏବର୍ଷ ଧାନ ଅମଳ ପ୍ରଭାବିତ ହେବ ବୋଲି ଚାଷୀମାନେ କହିଛନ୍ତି ।