ବିଧାନସଭାରେ ଉଠିଲା ଟ୍ବିନସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ : ନଗର ଉନ୍ନୟନ ମନ୍ତ୍ରୀ କହିଲେ, ୨୦୪୧ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବା ଅସମ୍ଭବ

84

କନକ ବ୍ୟୁରୋ : ବିଧାନସଭାରେ ଉଠିଲା ଟ୍ବିନସିଟି ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗ । ଗୃହରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିବୃତି । ଭୁବନେଶ୍ୱର ଓ କଟକ ରେ ମେଟ୍ରୋ ରେଳ ଚାଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ କି ଏଥିପାଇଁ କୌଣସି କମ୍ପାନୀକୁ ଅର୍ଥ ଦିଆଯାଇ ନାହିଁ । ବିଧାୟକ ସୁରେଶ ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର-କଟକ ଭିତରେ ମେଟ୍ରୋ ଟ୍ରେନ ଚାଲିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏକ ସର୍ଭେ କରାଯାଇଥିଲା । ଏଥିଲାଗି ଟେଣ୍ଡର ହୋଇଥିଲା। ଏଥିରେ ୫ଟି କମ୍ପାନି ଭାଗ ନେଇଥିଲେ ।

ଏଥିରେ ଵାଲାଜି ରେଲ ଆଣ୍ଡ ରୋଡ ବର୍ଷାଲିକୁ ସର୍ଭେ ପାଇଁ ଟେଣ୍ଡର ଦିଆଯାଇଥିଲା । ହୋଇଥିବା ସର୍ଭେ ଆମେ ଖୋର୍ଦ୍ଧା ଓ ଜଟଣୀ ପର୍ଯ୍ୟନ୍ତ ମେଟ୍ରୋ ଚଳାଇବା ପାଇଁ ଆମେ ପ୍ରସ୍ତାବ ଦେଇଥିଲୁ । ପୁଣି ଥରେ ସର୍ଭେ କରିବା ପାଇଁ ଆମେ ଦାବି କରିବୁ । ଏଥିରେ କଟକରୁ ଚଣ୍ଡିଖୋଲ ଓ ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ ପାଇଁ ପ୍ରସ୍ତାବ ଦେବୁ ।

୨୦୪୧ ମସିହା ପର୍ଯ୍ୟନ୍ତ ଟୁଇନ ସିଟିରେ ମେଟ୍ରୋ ରେଳ ଗଡ଼ିବା ଅସମ୍ଭବ। ଜନସଂଖ୍ୟା ଆଧାରରେ ସର୍ଭେ ଅନୁଯାୟୀ ଫିଜିବିଲିଟି ନଥିବାରୁ ଏହାକୁ ଆଗକୁ ବଢାଯାଇପାରୁନି । ଏହି ସର୍ଭେ ପାଇଁ କେନ୍ଦ୍ର ସରକାର ୧୨ ଲକ୍ଷ ୬୧ ହଜାର ଟଙ୍କା ଦେଇଥିବା ବେଳେ କମ୍ପାନିକୁ ରାଜ୍ୟ ସରକାର ୫୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ସେପଟେ ଗୃହର ଅନ୍ୟ ସଦସ୍ୟମାନେ ପୁଣି ଥରେ ଏହି ସର୍ଭେ କରିବା ପାଇଁ ଦାବି ରଖିଛନ୍ତି ।