ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ । ସମ୍ବିଧାନକୁ ଚିରିବାକୁ ଚେଷ୍ଟା କଲେ, କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି ।

150

କନକ ବ୍ୟୁରୋ: ବଲାଙ୍ଗୀରରେ ରାହୁଲଙ୍କ ହାଇଭୋଲଟେଜ୍ ପ୍ରଚାର । କେନ୍ଦ୍ର ସରକାର ଉପରକୁ ସିଧା ନିଶାନା କଲେ ରାହୁଲ ଗାନ୍ଧୀ । ସମ୍ବିଧାନ ବଦଳାଇବା ପ୍ରସଙ୍ଗକୁ ନେଇ ମୋଦୀ ସରକାରକୁ ଘେରିବା ସହିତ ସମ୍ବିଧାନକୁ କେହି ହାତ ମାରିପାରିବେ ନାହିଁ ବୋଲି କହିଛନ୍ତି ରାହୁଲ ।

ସେ କହିଛନ୍ତି, ଏ ଲଢେଇ ଦୁଇ ବିଚାରଧାରା ଭିତରେ ଚାଲିଛି । ପ୍ରଥମ ଥର ପାଇଁ କୌଣସି କୌଣସି ରାଜନୈତିକ ଦଳ କହିଛି ଯେ, ନିର୍ବାଚନ ଜିତିଲେ ସେ ଦେଶର ସମ୍ବିଧାନକୁ ପରିବର୍ତ୍ତନ କରିଦେବେ । ବିଜେପିର ବଡ ବଡ ନେତା ମଧ୍ୟ କହୁଛନ୍ତି, ନିର୍ବାର୍ଚନ ଜିତିଲେ ସମ୍ବିଧାନକୁ ଚିରିକି ଫୋପାଡିଦେବେ । ହେଲେ ସମ୍ବିଧାନ ଦେଶର ସବୁ ବର୍ଗଙ୍କୁ ଅଧିକାର ଦେଇଛି । ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ । ଅନ୍ୟପଟେ ଯଦି ସମ୍ବିଧାନକୁ ଚିରିବାକୁ ବିଜେପି ଚେଷ୍ଟା କରେ, ତେବେ କଂଗ୍ରେସ ଓ ଦେଶବାସୀ ଚୁପ୍ ବସିବେନି ।

ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଯଦି ଆମେ ଜିତିବୁ ସଂରକ୍ଷଣକୁ ଶେଷ କରିଦେବୁ । ପୂରା ପବ୍ଲିକ ସେକ୍ଟରକୁ ଉଦ୍ୟୋଗପତିଙ୍କୁ ବିକିଛନ୍ତି । ୨୨ ଜଣ ଉଦ୍ୟୋଗପତିଙ୍କର ୧୬ ଲକ୍ଷ କୋଟି ଋଣ ଛାଡ କରିଛନ୍ତି । ୨୪ ବର୍ଷର ମନରେଗା ଟଙ୍କା ୨୨ ଉଦ୍ୟୋଗପତିଙ୍କୁ ଦେଇଛନ୍ତି କେନ୍ଦ୍ର ସରକାର । ଭାରତର ଗରିବ ଲୋକଙ୍କ ମୁଣ୍ଡ ଉପରେ ଏତେ ବୋଝ ବିଜେପି ଲଦିଛି ଯେ, ଯେଉଁଥିରୁ ବାହାରକୁ ଆସିବା ସହଜ ନୁହେଁ । ସରକାର ଦେଶବାସୀଙ୍କ ପାଇଁ ନୁହେଁ ବରଂ ୨୨ ଜଣ ଉଦ୍ୟୋଗପତିଙ୍କ ପାଇଁ କାମ କରୁଛି । ଭାରତରେ ୫୦% ପଛୁଆବର୍ଗ ଲୋକ, ୧୫% ଦଳିତ, ୮% ଆଦିବାସୀ, ୧୫% ଅଳ୍ପସଂଖ୍ୟକ , ୫% ସାଧାରଣ ଗରିବ ପରିବାର ଅଛନ୍ତି । କିନ୍ତୁ ଦେଶରେ ଏମାନଙ୍କର ଭାଗିଦାରୀ ନାହିଁ । ଗରିବ ଲୋକଙ୍କ ସ୍ୱର ଗଣମାଧ୍ୟମରେ ଦେଖାଯାଉନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ କହିଛନ୍ତି, ଜୁନ୍ ୪ରେ ଇଣ୍ଡିଆ ମେଣ୍ଟର ସରକାର ହେବ । ଏହାପରେ ଭାରତର ସବୁ ଗରିବ ଲୋକଙ୍କ ଏକ ଲିଷ୍ଟ ହେବ । ଗରିବ, ପଛୁଆ ବର୍ଗ, ଦଳିତ, ସଂଖ୍ୟାଲଘୁ ସମସ୍ତଙ୍କର ଲିଷ୍ଟ ହେବ । ତା ସହିତ ପ୍ରତି ଗରିବ ପରିବାରରୁ ଜଣେ ମହିଳାଙ୍କୁ ବଛାଯିବ । ଜୁନ୍ ୪ରେ ସରକାର ଗଠନ ହେବାର ମାସକ ଭିତରେ ଅର୍ଥାତ ଜୁଲାଇ ୪ ତାରିଖରେ ସେହି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ୮୫୦୦ ଟଙ୍କା ଆସିବ । ଏହାପରେ ପ୍ରତି ମାସରେ ସେହି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିବ । ଏହିପରି ଭାବେ ଗୋଟିଏ ବର୍ଷରେ ତାଙ୍କୁ ୧ ଲକ୍ଷ ଟଙ୍କା ଦିଆଯିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।

ବଲାଙ୍ଗୀରରେ ରାହୁଲ ଆହୁରି ମଧ୍ୟ କହିଛନ୍ତି ଯେ, ଇଣ୍ଡିଆ ମେଣ୍ଟ ସରକାର ଆସିଲା ପରେ, ସବୁ ଫ୍ୟାକ୍ଟ୍ରି ପୁଣି ଚାଲୁହେବ । ଫ୍ୟାକ୍ଟ୍ରି ଚାଲୁ ହେବା ପରେ ଲୋକଙ୍କୁ ରୋଜଗାର ମିଳିବ । ଆମେ ଭାରତର ଆର୍ଥିକ ଇଞ୍ଜିନ ଷ୍ଟାର୍ଟ କରୁଛୁ । ଇଞ୍ଜିନରେ ପେଟ୍ରୋଲ ଦେଉଛୁ । ଏଥିରେ ଇଞ୍ଜିନ ହେଉଛନ୍ତି ଆପଣ, ପେଟ୍ରୋଲ ହେଉଛି ଏହି ଏକ ଲକ୍ଷ ଟଙ୍କା ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।