ଏମିତି ଏକ ଥାନା, ଯେଉଁଠି ପଶିନି କରୋନା । ଲୋକଙ୍କୁ ସୁରକ୍ଷା ଦେବା ସହ ନିଜେ ସତର୍କ ରହୁଛନ୍ତି, ମହାମାରୀର ମୁକାବିଲା କରୁଛନ୍ତି ।

1,033

କନକ ବ୍ୟୁରୋ: ଥାନାରେ ପଶିନି କରୋନା । କାହାକୁ ଛୁଇଁନି ଭାଇରସ । କରୋନା କବଳରେ ପଡି ସାରା ବିଶ୍ୱ ଛଟପଟ ହେଉଛି । ମହାମାରୀକୁ ମାରି ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବାକୁ ଦିନରାତି ଏକ କରି ଅହରହ କରୋନା ସହ ଲଢେଇ କରୁଛନ୍ତି କରୋନା ଯୋଦ୍ଧା । ପ୍ରଥମ ପର୍ଯ୍ୟାୟରେ ସଂକ୍ରମଣ ଚେନ ଭାଙ୍ଗିବାକୁ ଡାକ୍ତରଠୁ ପୋଲିସ ସମସ୍ତେ ପ୍ରାଣମୂର୍ଛା ଉଦ୍ୟମ କରିଥିଲେ । ମାତ୍ର ଏବେ କରୋନା କବଜାକୁ ଧିରେଧିରେ ଆସୁଛନ୍ତି କରୋନା ଯୋଦ୍ଧା । ଅନେକ ଥାନାର ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ । ଅନେକ ମେଡିକାଲ କର୍ମୀ ମଧ୍ୟ ସଂକ୍ରମିତ । ଆଉ ଠିକ ଏତିକି ବେଳେ ଢେଙ୍କାନାଳ କଙ୍କଡାହାଡ ଥାନାରୁ ଆସିଛି ଆଶ୍ୱସ୍ତିର ଖବର । ଏହା ଏମିତି ଏକ ଥାନା, ଯେଉଁଠି କୌଣସି କର୍ମଚାରୀଙ୍କୁ ଏଯାଏଁ କରୋନା ଛୁଇଁନି । କରୋନା ସହ ଲଢେଇ କରୁଥିଲେ ହେଁ କେହି ବି ସଂକ୍ରମିତ ହୋଇ ନାହାନ୍ତି ।

ତେବେ କରୋନା ସହ ଯୁଦ୍ଧ କରିବାକୁ ଥାନାରେ ସବୁପ୍ରକାର ସଚେତନାତା ମୂଳକ ପଦକ୍ଷେପ ନିଆଯାଉଛି । କର୍ମଚାରୀମାନେ ଅଫିସ ଆସିଲେ କିମ୍ବା କେଉଁଠି ଗଲେ ବାହାରେ ହାତଧୋଇ ଭିତରକୁ ପଶନ୍ତି । ଅଫିସ ଭିତରେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେଉଛି । ଥାନାରେ ୩୦ କର୍ମଚାରୀ ଥିବାବେଳେ ସମସ୍ତେ କୋଭିଡ ନିୟମ ମାନି ଆଜି ଯାଏଁ ନିଜକୁ ଭୂତାଣୁ କବଜାରୁ ରକ୍ଷା କରିପାରିଛନ୍ତି । ତେବେ ଭାଇରସ ପାଇଁ ସବୁଠି ଭୟର ବାତାବରଣ ଖେଳିଯାଇଥିଲେ ହେଁ ଭୟ ଭିତରେ କଙ୍କଡାହାଡ ଥାନାରୁ ଆସିଛି ଭଲ ଖବର ।