କନକ ବ୍ୟୁରୋ: ଗାଁରେ ମୋବାଇଲ ସିଗନାଲ୍ ନଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି ଲୋକ । ଚାଳରେ ଟଙ୍ଗା ହେଉଛି ମୋବାଇଲ୍ । ସିଗନାଲ୍ ଆସିବା ଆଶାରେ ମୋବାଇଲ ଫୋନକୁ ପଲିଥିନରେ ପୁରାଇ ଘର ଚାଳରେ ଟାଙ୍ଗୁଛନ୍ତି ଲୋକେ । କାରଣ ଏଇଠି ମୋବାଇଲ ରହିଲେ, ସିଗନାଲ୍ ରହୁଛି । ଫୋନ କଲ୍ ଆସୁଛି, କଥା ହେବା ପାଇଁ ଗାଁ ମୁଣ୍ଡ ଗଛ ମୂଳରେ ବସିବାକୁ ପଡୁଛି । ନହେଲେ ବିନା ନେଟୱାର୍କରେ ଖେଳନା ପାଲଟିଯାଉଛି ମୋବାଇଲ୍ । ନେଟୱାର୍କ ନଥିବାରୁ ଡିଜିଟାଲ ସେବା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗଂଜାମ ଧରାକୋଟ ବ୍ଲକ ବାହାରପୁର ଗ୍ରାମ ପଂଚାୟତବାସୀ ।

Advertisment

ବର୍ତମାନ ସମୟରେ ନିତିଦିନିଆ ଜୀବନର ମୁଖ୍ୟ ଅଂଶ ପାଲଟି ଯାଇଛି ମୋବାଇଲ୍ ଫୋନ । ପ୍ରଥମେ ମୋବାଇଲକୁ କେବଳ କଥା ହେବା ପାଇଁ ବ୍ୟବହାର କରାଯାଉଥିଲା । ହେଲେ ଏବେ ମୋବାଇଲରେ ସବୁକିଛି କହିଲେ ଚଳେ । ବ୍ୟାଙ୍କ ଗ୍ରାହକ ସେବା, ଜନସେବା, ପିଡିଏସ୍ ଯୋଗାଣ, କିଣାବିକା ସବୁ କିଛି ଚାଲିଛି ମୋବାଇଲରେ । ତେଣୁ ଇଂଟରନେଟ୍ ସ୍ପିଡ୍ କରିବା ପାଇଁ ଫାଇଭ-ଜି ସେବା ଅନେକ ସ୍ଥାନରେ ଆରମ୍ଭ ହୋଇଛି । ହେଲେ ଧରାକୋଟ ବ୍ଲକ ବାହାରପୁର ଗ୍ରାମ ପଞ୍ଚାୟତରେ ଲୋକଙ୍କୁ ଟୁ-ଜି ସେବା ମିଳୁନାହିଁ । ଫଳରେ ଅନଲାଇନ୍ ସୁବିଧା ପାଇଁ ନାକେଦମ୍ ହେଉଛନ୍ତି ଲୋକେ ।

କୌଣସି ଉପାନ୍ତ ଗ୍ରାମ ନୁହେଁ ଧରାକୋଟ ବ୍ଲକଠାରୁ ଅଳ୍ପ ଦୂରରେ ଥିବା ବାହାରପୁର, କାନିଗିଡି, ରୁଗୁମୁ, କୋନ୍ଦୁପଲ୍ଲି ଭଳି ଗାଁର ଲୋକ ମୋବାଇଲ୍ ଫୋନ୍କୁ ଘର ବାରଣ୍ଡାରେ ଝୁଲାଇ ରଖୁଛନ୍ତି । ଗାଁରେ ସିଗିନାଲ୍ ସମସ୍ୟା ଦୁର କରିବା ପାଇ ଗୋଟିଏ ବିଏସନାଲ ଟାୱାର ରହିଛି । ହେଲେ ବି ଗାଁରେ ନେଟୱାର୍କ ରହୁନାହିଁ ।