ନିର୍ବାଚନରେ ନିଆରା ପ୍ରାର୍ଥୀ । ବଡ ସଭା କରିବାକୁ ଟଙ୍କା ନାହିଁ । ଚାଲି ଚାଲି କରୁଛନ୍ତି ପ୍ରଚାର ।

330

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନ ନେଇ ରାଜନୈତିକ ମାହୋଲ ବେଶ ସରଗରମ । ପ୍ରାର୍ଥୀମାନେ ଭୋଟ୍ ହାତେଇବାକୁ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦାମୀ ଗାଡିରୁ ନେଇ ବଡ ବଡ ଶୋଭାଯାତ୍ରା କରୁଛନ୍ତି । ହେଲେ ଏମିତି ଜଣେ ପ୍ରାର୍ଥୀ ଅଛନ୍ତି । ନା ପାଖରେ ଅର୍ଥ ଅଛି । ନା ଚାକଚକ୍ୟ ଭିତରେ ପ୍ରଚାର କରୁଛନ୍ତି । କୋଟିପତି ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ବସ୍ତା ନିର୍ବାଚନ ମଣ୍ଡଳିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଜନ ନାୟକ । ପାଖରେ ଅର୍ଥ ନଥିବାରୁ କୌଣସି ଯାନ ବାହାନ ନନେଇ ଚାଲି ଚାଲି ଭୋଟରଙ୍କ ପାଖକୁ ଯାଇ ଭୋଟ ମାଗୁଛନ୍ତି ।

ସବୁଠାରୁ ପୁରୁଣା ଦଳରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ନିର୍ବାଚନ ଲଢିବାକୁ ନାହିଁ ଅର୍ଥ । ଯାହା ପାଇଁ ନା ବଡ ନିର୍ବାଚନୀ ସଭା କରି ପାରୁଛନ୍ତି ନା ସିନେ ଅଭିନେତା କିମ୍ବା ଅଭିନେତ୍ରୀ ମାନଙ୍କୁ ନେଇ ପ୍ରଚାର କରି ପାରୁଛନ୍ତି । କିଛି କର୍ମୀଙ୍କୁ ନେଇ ଚାଲି ଚାଲି ଘରକୁ ଘର ବୁଲି ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ବିନା ଅର୍ଥରେ ଲୋକଙ୍କ ଆଶୀର୍ବାଦ ଏବଂ ନିଜର ଆତ୍ମବିଶ୍ୱାସକୁ ନେଇ ଲଢେଇ କରୁଛନ୍ତି ବୋଲି କହିଛନ୍ତି ପ୍ରାର୍ଥୀ ଜଣକ ।

ବସ୍ତା ନିର୍ବାଚନ ମଣ୍ଡଳିରେ ତ୍ରିମୁଖୀ ଲଢେଇ । ଭିନ୍ନ ଭିନ୍ନ ପ୍ରସଙ୍ଗ ନେଇ ପ୍ରାର୍ଥୀ ମାନେ ପ୍ରଚାର କରୁଛନ୍ତି । ସେପଟେ କଂଗ୍ରେସ ଦଳରୁ ବିଜନ ନାୟକ ପ୍ରାର୍ଥୀ ହୋଇ ନିଜ ସାମର୍ଥ୍ୟ ଅନୁସାରେ ପ୍ରଚାର ପ୍ରସାର ଜାରି ରଖିଛନ୍ତି । ବିଜନ ନାୟକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ । କିଛି ଚାଷ ଜମିକୁ ଛାଡି ଦେଲେ ଘର ଖଣ୍ଡିଏ ରହିଛି । ନିର୍ବାଚନରେ ପ୍ରାର୍ଥୀ ମାନେ ସମସ୍ତ କାର୍ଯ୍ୟ ଟେଣ୍ଡର ଦ୍ୱାରା କରୁଥିବା ବେଳେ ବିଜନ କିନ୍ତୁ ସେସବୁ କାର୍ଯ୍ୟ ନିଜେ କରୁଛନ୍ତି । ଭୋଟରଙ୍କ ମନ ଅର୍ଥବଳ ଦ୍ୱାରା ନୁହେଁ ସ୍ୱାଭିମାନରେ ଜିତିହେବ ବୋଲି କହିଛନ୍ତି କର୍ମୀ ।

ବିଜନ ନାୟକ ଲୋକଙ୍କ ସବୁ ସମୟରେ ଦୁଃଖ ସୁଖରେ ଛିଡା ହୋଇରହିବାର ପ୍ରତିଶ୍ରୁତି ଦେଉଛନ୍ତି । ନିର୍ବାଚନରେ ଅର୍ଥବଳ ନୁହେଁ ଲୋକଙ୍କ ଭଲପାଇବା ତାଙ୍କୁ ବିଜୟ ଆଣିଦେବ ବୋଲି ଆଶାବାଦୀ ରହିଛନ୍ତି ।