ହୁଣ୍ଡିରେ ପଡୁନି ଦାନ, ଆୟ ଶୂନ । କରୋନା କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତ ଆସୁନଥିବାରୁ ଆସୁନି ଆୟ, ବଢୁଛି ବ୍ୟୟ । ଅନଲାଇନ୍ ଡୋନେସନ୍ ପାଇଁ ହେଉଛି ଯୋଜନା ।

407

କନକ ବ୍ୟୁରୋ: ଗତ ୭ ମାସ ଧରି କରୋନା କଟକଣା ଯୋଗୁଁ ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିର ବନ୍ଦ ରହିଛି । ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ ଲାଗିଥିବାରୁ ମନ୍ଦିର ଭିତରେ ଥିବା ହୁଣ୍ଡିରେ ଟଙ୍କା ପଡୁନି । କହିବାକୁ ଗଲେ ଆୟ ଏକ ପ୍ରକାର ବନ୍ଦ ହୋଇଯାଇଛି । କିନ୍ତୁ ଶ୍ରୀମନ୍ଦିରର ବ୍ୟୟ ଅଧିକ ରହିଛି । ଶ୍ରୀମନ୍ଦିର ପାଇଁ ୧୫୪ କୋଟି ବଜେଟ ରହିଛି । ଏସବୁ ଭିତରେ ଅର୍ଥର ଅଭାବ ଶ୍ରୀମନ୍ଦିର ପ୍ରଶାସନ ପାଇଁ ଚିନ୍ତାର ବିଷୟ ହୋଇଛି । ଆୟ ବଢାଇବା ପାଇଁ ଅନଲାଇନରେ ଡୋନେସନ ବ୍ୟବସ୍ଥା କରାଯିବାକୁ ଯୋଜନା କରାଯାଉଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହୁଛନ୍ତି ୪ ସପ୍ତାହ ପରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତି ନିଆଯିବ । ଡିସେମ୍ବର ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏନେଇ ୩ଟି କମିଟି ଗଠନ କରାଯାଇଛି ।  ଭକ୍ତଙ୍କୁ କେବେ ଏବଂ କେମିତି ଦର୍ଶନ ପାଇଁ ଛଡାଯିବ ସେନେଇ କମିଟି ନିଷ୍ପତି ନେବ । ପୁରୀରେ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ନାଗାର୍ଜୁନ ବେଶ ନେଇ ମଧ୍ୟ ଆଲୋଚନା ହୋଇଛି ।