ଏଠି ରୋଜଗାର ନାହିଁ, ପେଟକୁ ଦାନା ଦେବା ପାଇଁ ପାଖରେ ଟଙ୍କା ନାହିଁ । ସୁରଟ ଯିବା ପାଇଁ ସକାଳୁ ସକାଳୁ ଷ୍ଟେସନ ଆଗରେ ପହଂଚିଯାଉଛି ପ୍ରବାସୀ

487

କନକ ବ୍ୟୁରୋ : ଏବେ ଯିବାକୁ ପଡିବ ସୁରଟ । ରୋଜଗାର ପାଇଁ ଟ୍ରେନ ଟିକେଟ ପାଇଁ ସକାଳୁ ସକାଳୁ କାଉଁଟର ଆଗରେ ପହଂଚିଯାଉଛି ପ୍ରବାସୀ । କରୋନା କଟକଣା ବେଳେ ବହୁ କଷ୍ଟରେ ଗାଁକୁ ଫେରିଥିଲେ । କିଏ ସ୍ୱତନ୍ତ୍ର ବସ୍ ଭଡା କରି ଅଖିଆ ଅପିଆରେ ଫେରିଥିଲେ ତ ଆଉ ଏକ ଶ୍ରମିକ ଟ୍ରେନରେ ଆସିଥିଲେ । କିନ୍ତୁ ଏବେ ଜୀବିକା ହରାଇଥିବା ଏହି ଲୋକମାନେ ପୁଣିଥରେ କର୍ମକ୍ଷେତ୍ର ଯିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଟିକେଟ କାଉଁଟର ଖୋଲିଛି ସତ, କିନ୍ତୁ ମିଳିପାରୁନି ନିଜ ମନମୁତାବକ ଦିନର ଟିକେଟ । ଆସନ୍ତା ମାସକ ପାଇଁ ଆଉ ଟିକେଟ ନାହିଁ । ଚାହୁଁ ଚାହୁଁ ସରିଯାଉଛି ଗୁଜୁରାଟ ଯାଉଥିବା ଟ୍ରେନର ଟିକେଟ ।

ଗଂଜାମ ଚଢିଆପଲ୍ଲୀର ଏହି ଯୁବକମାନେ ସୁରଟ ସହରରେ ଏକାଠି କାମ କରନ୍ତି । କିନ୍ତୁ କରୋନା କାଳରେ ବହୁକଷ୍ଟରେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଭିଟାମାଟିକୁ ଫେରିଥିଲେ । ହେଲେ ଏହା ଭିତରେ ବିତିଗଲାଣି ପ୍ରାୟ ୫ ମାସ । ରୋଜଗାର ନାହିଁ । ଏବେ ପୁଣି ଥରେ ଯିବାକୁ ପଡିବ ସୁରଟ । ସେଥିପାଇଁ ସମସ୍ତ ପ୍ରସ୍ତୁତି ସରିଲାଣି । ଟ୍ରେନ ପାଇଁ ଟିକେଟ ବି ହେଲାଣି । କାରଣ ଏଠାରେ ରୋଜଗାର କିଛି ବାଟ ନପାଇ ପୁଣି ଥରେ ପ୍ରବାସକୁ ଯିବାକୁ ବାଧ୍ୟ ହେଉଛନ୍ତି ସେମାନେ ।

ବର୍ତମାନ ସରକାର ଓଡିଶାକୁ ବ୍ରହ୍ମପୁର ଦେଇ ୩ଟି ଟ୍ରେନ ଚଳାଚଳର ଘୋଷଣା କରିଛନ୍ତି । ଖୋର୍ଦ୍ଧା ରୋଡ- ଅହମଦାବାଦ ସପ୍ତାହକୁ ୪ଦିନ ଯାତ୍ରା କରୁଥିବା ବେଳେ ଖୋର୍ଦ୍ଧାରୋଡ- ଗାନ୍ଧିଗ୍ରାମ ଓ ଖୋର୍ଦ୍ଧାରୋଡ-ଓଖା ସାପ୍ତାହିକ ଦିନଟିଏ ଚଳାଚଳ କରିବ । ଏବେ ହଜାର ହଜାର ଶ୍ରମିକ ଗୁଜରାଟ ଫେରିବାକୁ ଚାହୁଁଥିବା ବେଳେ ତିନିଟି ଟ୍ରେନ ବଦଳରେ ଅଧିକ ଟ୍ରେନ ଚଳାଚଳ କରିବାକୁ ପ୍ରବାସୀ ଶ୍ରମିକ ଦାବି କରିଛନ୍ତି ।