କନକ ବ୍ୟୁରୋ : ଯେବେ ଯେବେ ଦୁର୍ନୀତିର ଅଭିଯୋଗ ଆସିଛି, ସେତେବେଳେ ଦୁର୍ନୀତିଖୋରଙ୍କୁ ଶାସ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିରୋ ଟଲରେନ୍ସ ବା ଶୂନ୍ୟ ସହନଶୀଳ ନୀତି ଆପଣାଇ ସରକାରୀ କଳକୁ ବାରମ୍ବାର ସତର୍କ କରାଉଥିବା ମୁଖ୍ୟମନ୍ତ୍ରୀ ନେଇ ଚାଲିଛନ୍ତି ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଯାହା ଦିନକୁ ଦିନ ଉଦାହରଣ ପାଲଟିବାରେ ଲାଗିଛି । ବୁଧବାର ପୁଣି ୬ ଜଣ ଦାଗୀ ବାବୁଙ୍କୁ ଚାକିରିରୁ ବିଦା କରି ବାଧ୍ୟତାମୂଳକ ଅବସର ଦେଇଛନ୍ତି ନବୀନ ।

Advertisment

ନବୀନ ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଜିରୋ ଟଲେରାନ୍ସ ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ଏବଂ ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା – ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଅନ୍ତର୍ଭୁକ୍ତ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ।