କନକ ବ୍ୟୁରୋ: ଓଡିଶାକୁ ନାହିଁ ବାତ୍ୟା ଭୟ । ଓଡିଶା ଉପକୂଳ ଛୁଇଁନପାରେ ବାତ୍ୟା । ସମ୍ଭାବ୍ୟ ବାତ୍ୟା ନେଇ ବଡ ସୂଚନା ଦେଲେ ଏସଆରସି ପ୍ରଦୀପ କୁମାର ଜେନା । ଓଡିଶା ପାଇଁ ବାତ୍ୟାର କୌଣସି ସୂଚନା ନାହିଁ । ଉତ୍ତର ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ପଶ୍ଚିମବଙ୍ଗ କିମ୍ବା ବାଲାଂଦେଶ ଆଡେ ମୁହାଁଇବ । ତେଣୁ ଓଡିଶାବାସୀ ଆତଙ୍କିତ କିମ୍ବା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଏସଆରସି କହିଛନ୍ତି ।

Advertisment

publive-image

ତେବେ ଆସନ୍ତା ୮ ତାରିଖ ବେଳକୁ ଓଡିଶା ଉପକୂଳରେ ବର୍ଷା ଲାଗିରହିବ । ମଧ୍ୟମରୁ ହାଲୁକା ବର୍ଷା ଓଡିଶା ଉପକୂଳରେ ହୋଇପାରେ । ଏହି ସମୟରେ ପବନର ବେଗ ୫୦ରୁ ୬୦ କିମି ରହିପାରେ । ପବନ କାରଣରୁ ସମୁଦ୍ର ଅଶାନ୍ତ ରହିପାରେ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ବାତ୍ୟା ସୂଚନା କମ ଥିଲେ ବି ବର୍ଷା ପାଇଁ ସତର୍କ ରହିବାକୁ ଏସଆରସି କହିଛନ୍ତି । ବର୍ଷା ନେଇ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଚିଠି ଲେଖିଛନ୍ତି ଏସଆରସି । ୧୫ ଜିଲ୍ଲା; ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଗଞ୍ଜାମ, ପୁରୀ, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡା, ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ବର୍ଷା ପରେ ବନ୍ୟା ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ସତର୍କ କରାଇଛନ୍ତି ।

ସେପଟେ ବାତ୍ୟାକୁ ନେଇ ହେଉଥିବା ଗୁଜବ ଉପରେ ବିଶ୍ୱାସ ନକରିବାକୁ ଏସଆରସି ସୂଚନା ଦେଇଛନ୍ତି । ବାତ୍ୟା ଭୟରେ ଲୋକେ ଜେନେରେଟର ଓ ଇନଭଟର ବଜାରରୁ ଆଗୁଆ କିଣି ପକାଉଛନ୍ତି । ତେଣୁ ଆତଙ୍କିତ ନହେବାକୁ ପରାମର୍ଶ ଦେବା ସହ ସରକାର ବାତ୍ୟାର ପ୍ରତିଟି ଖବର ଓଡିଶାବାସୀଙ୍କୁ ଜଣାଇବେ ବୋଲି ଏସଆରସି କହିଛନ୍ତି ।