ଜୟପାଟଣା ସହରରେ ନାହିଁ ବସ୍ ଷ୍ଟାଣ୍ଡ । ରାଜବାଟି ସାମ୍ନାରେ ରହୁଛି ବସ୍ । ବଢୁଛି ଟ୍ରାଫିକ୍ ସମସ୍ୟା

206

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ଏକ ଐତିହ୍ୟ ସହର ହେଉଛି ଜୟପାଟଣା। ରାଜା ରାଜୁଡ଼ା ଅମଳରୁ ଲୋକେ ଏଠି ବିକାଶ ଦେଖିଥିବା କୁହନ୍ତି, ହେଲେ ଆଜି ଯାଏଁ ଯାତ୍ରୀଙ୍କ ସୁବିଧା ପାଇଁ ଭଲ ବସଷ୍ଟାଣ୍ଡଟିଏ ହୋଇପାରିନାହିଁ । ଯାହା ଫଳରେ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ଏଠାକାର ରାଜବାଟି ହିଁ ବୟାନ କରୁଛି ଜୟପାଟଣା, କଳାହାଣ୍ଡି ଜିଲ୍ଲାର କେତେ ପୁରୁଣା ସହର । ପ୍ରତିଦିନ ଏହି ସହରକୁ ବିଭିନ୍ନ କାମ ପାଇଁ ଆସନ୍ତି ଶହଶହ ଲୋକ । ଏଠାରୁ ବସ୍ ଯୋଗେ ଭୁବନେଶ୍ୱର, ଛତିଶଗଡର ରାୟପୁର, ଆନ୍ଧ୍ରପ୍ରଦେଶ, ବିଶାଖାପାଟଣା ନାଇଟ୍ କୋଚ୍ ବସ୍ ଯିବା ଆସିବା କରୁଛି । ବସ୍ ଷ୍ଟାଣ୍ଡ ନଥିବାରୁ ରାଜବାଟି ସାମ୍ନାରେ ରହୁଛି ବସ୍ । ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଯାତ୍ରୀମାନେ ଖୋଲା ଆକାଶ ତଳେ ବସ୍କୁ ଅପେକ୍ଷା କରୁଛନ୍ତି । ଶୌଚାଳୟ ନଥିବାରୁ ମହିଳା ଓ ଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଏହାସହ ରାସ୍ତା ଉପରେ ଝୁଲୁଥିବା ୧୧ କେଭି ବିଦ୍ୟୁତ୍ ତାର ଯୋଗୁଁ ଅଘଟଣର ଆଶଙ୍କା ରହିଛି ।

୨୦୦୦ ମସିହାରେ ପଞ୍ଚାୟତ ଅଫିସ ପଛପଟେ ଲକ୍ଷାଧିକ ଟଙ୍କାରେ ବସ୍ ଷ୍ଟାଣ୍ଡ ନିର୍ମାଣ ହୋଇଥିଲା । ମାର୍କେଟରୁ ଦୂର ହେଉଥିବାରୁ ବ୍ୟବହାର ହେଉନାହିଁ । ସେଠାକୁ ବସ୍ ଯାଉନାହିଁ କି ଯାତ୍ରୀ ଯାଉନାହାନ୍ତି । ରକ୍ଷଣାବେକ୍ଷଣ ଅଭାବରୁ ଏବେ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଅନ୍ୟପଟେ ଲକ୍ଷ୍ମୀ ବସକୁ ରାତିରେ ବ୍ଲକ ଅଫିସ ପରିସରରେ ରଖାଯାଉଛି ।