ପୁଣି ଓଲଟିଲା ରାଜ୍ୟ ରାଜନୀତିର ଫର୍ଦ୍ଦ । ଚର୍ଚ୍ଚାରେ ବିଜୟ, ଅତନୁ ଓ ଟିକେଟ କଟିବାର ଫର୍ମୁଲା ।

70

କନକ ବ୍ୟୁରୋ : ମହାକାଳପଡା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ବାପାଙ୍କ ଉପରେ ରଚିତ ପୁସ୍ତକରେ ବିଜୟ ମହାପାତ୍ରଙ୍କ ଉପରେ ଏକ ଲେଖାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବହିଟି ଲେଖିଛନ୍ତି ଅତନୁଙ୍କ ମାଆ, ନିର୍ମଳ ପ୍ରଭା । ଏଥିରେ ଲେଖାଯାଇଛି, ୧୯୭୭ରେ ଅତନୁଙ୍କ ବାପା ରାଜକିଶୋର ନାୟକଙ୍କ ଟିକେଟ୍ କାଟି ଦେଇଥିଲେ ବିଜୟ ମହାପାତ୍ର । ଏବଂ ୨୦୦୦ ମସିହାରେ ବିଜୟଙ୍କ ଟିକେଟ କଟି ଅତନୁ ଏହି ଟିକେଟ୍ ପାଇବା ଘଟଣାକୁ ନେଇ ନିର୍ମଳ ପ୍ରଭା ଲେଖିଛନ୍ତି, ଭଗବାନ ସବୁ କର୍ମର ପରିଣତି ନିର୍ଦ୍ଧାରଣ କରିଥାନ୍ତି । ଦେଖନ୍ତୁ କ’ଣ ଲେଖିଥିଲେ ଅତନୁଙ୍କ ମା’ ।

“ସାରା ରାଜ୍ୟରେ ବିଜେଡି ଟିକେଟ୍ ବାଂଟିବାର ପ୍ରମୁଖ ଦାୟିତ୍ୱ ନେଇଥିବା ବିଜୟ ମହାପାତ୍ରଙ୍କ ନିଜ ଟିକେଟ୍ କଟି ଅତନୁ ଯେ ଟିକେଟ ପାଇବ, ସେକଥା ଆମକୁ ଚକିତ କରିଥିଲା । ୧୯୭୭ ମସିହାରେ ତୁମ ଟିକେଟ୍ କଟିବା ଏବଂ ୨୦୦୦ ମସିହାରେ ବିଜୟ ମହାପାତ୍ରଙ୍କ ଟିକେଟ ଅଚାନକ କଟି ଅତନୁକୁ ମିଳିବା, ଏ ଦୁଇଟି ଘଟଣାକୁ ଭଲ କରି ନିରୀକ୍ଷଣ କଲେ ଭଗବାନ ଯେ ସବୁ କର୍ମର ଉଚିତ ପରିଣତି ନିର୍ଦ୍ଧାରଣ କରନ୍ତି, ତାହା ପ୍ରମାଣିତ ହୋଇଯାଇଛି । ବିଳମ୍ବରେ ହେଲେ ବି ନିଜର କର୍ମ ଓ ଭାବନା ଠିକ୍ ଥିଲେ ନ୍ୟାୟ ଯେ ମିଳିବ, ତାହା ଏଥିରୁ ପ୍ରମାଣିତ ହୋଇଗଲା । “

ଏହା ହେଉଛି ବିଜେଡିର ବରିଷ୍ଠ ବିଧାୟକ ଅତନୁ ସବ୍ୟସାଚୀଙ୍କ ମାଆ ନିର୍ମଳପ୍ରଭା ଲେଖିଥିବା ପୁସ୍ତକ ‘ସାୟାହ୍ଣର ସ୍ମୃତି’ର କିଛି ଅଂଶ । ଏଥିରେ ସେ ଇସାରା ଦେଇଛନ୍ତି ଓଡ଼ିଶା ରାଜନୀତିର ଏକଦା ପ୍ରଭାବଶାଳୀ ନେତା ଥିବା ବିଜୟ ମହାମାତ୍ରଙ୍କ ଆଡକୁ । ୨୦୦୦ ନିର୍ବାଚନରେ ବିଜୟ ମହାପାତ୍ରଙ୍କ ବିଜେଡି ଟିକେଟ୍ କଟିବା ପ୍ରସଙ୍ଗକୁ ପୁଣି ଥରେ ଉଖାରିଛନ୍ତି ଅତନୁଙ୍କ ମାଆ । ଏଥିରେ କିପରି ଇତିହାସ କଡ଼ ବଦଳେଇ ଥାଏ, ଏହାର ଉଦାହରଣ ଦେଇଛନ୍ତି ନିର୍ମଳପ୍ରଭା ।

୨୦୦୦ ମସିହାରେ ବିଜେଡିର ଟିକେଟ୍ ବାଣ୍ଟୁଥିବା ବିଜୟ ମହାପାତ୍ରଙ୍କ ଟିକେଟ କଟିଯାଇ ଅତନୁଙ୍କୁ ଅଚାନକ ଟିକେଟ୍ ମିଳିଥିବା କଥା ପୁସ୍ତକରେ ଉଲ୍ଲେଖ କରିଛନ୍ତି ନିର୍ମଳପ୍ରଭା । ସେ ଲେଖିଛନ୍ତି, ସବୁ କର୍ମର କିପରି ଉଚିତ ପରିଣତି ମିଳିଥାଏ, ତାହା ଏଥିରୁ ପ୍ରମାଣିତ ହୋଇଯାଇଛି । ତେବେ ଏହି ପ୍ରସଙ୍ଗରେ ବିଜୟ ମହାପାତ୍ର କହିଛନ୍ତି, ୧୯୭୭ରେ ରାଜକିଶୋର ନାୟକଙ୍କ ଟିକେଟ କଟିବା ବିଜୁ ପଟ୍ଟନାୟକଙ୍କ ଇଚ୍ଛା ଥିଲା, ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ।

ପାଟକୁରା ଗାନ୍ଧି ଭାବେ ଖ୍ୟାତ ପୂର୍ବତନ ବିଧାୟକ ସ୍ୱର୍ଗତ ରାଜକିଶୋର ନାୟକଙ୍କ ସ୍ମୃତିକୁ ମନେପକାଇ ପତ୍ନୀ ନର୍ମଳପ୍ରଭା ଲେଖିଥିବା ପୁସ୍ତକକୁ ରବିବାର ଦିନ ଉନ୍ମୋଚନ କରିଛନ୍ତି ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାନିକ ସରକାର । ହେଲେ ସାୟାହ୍ଣର ସ୍ମୃତି ପୁସ୍ତକରେ ଥିବା ଏହି ଅଧ୍ୟାୟକୁ ନେଇ ରାଜନୈତିକ ମହଲରେ ବେଶ ଆଲୋଚନା ଚାଲିଛି ।