ପଶ୍ଚିମବଙ୍ଗରେ ବିଜେପି ଓ ଏନଆଇଏ ମଧ୍ୟରେ ମେଣ୍ଟ ରହିଛି: ଅଭିଷେକ ବାନାର୍ଜୀ

130

କନକ ବ୍ୟୁରୋ: ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ବିଜେପି ଏବଂ ଏନଆଇଏ ମେଣ୍ଟ କରିଛନ୍ତି । ଏଭଳି ଦାବି କରିଛନ୍ତି ଟିଏମସିର ଅନ୍ୟତମ ପ୍ରମୁଖ ନେତା ଅଭିଷେକ ବାନାର୍ଜୀ ।

ସେ କହିଛନ୍ତି, ନିର୍ବାଚନ ତାରିଖ ଘୋଷଣାର ୧୦ ଦିନ ପରେ ବିଜେପି ନେତା ଜିତେନ୍ଦ୍ର ତିୱାରୀ ଏବଂ ଏନଆଇଏ ଏସପି କୋଲକାତା ନ୍ୟୁ ଟାଉନରେ ବୈଠକ କରିଥିଲେ । ପରେ ଏନଆଇଏ ଅନ୍ୟ ଏକ ସ୍ଥାନରେ ରେଡ୍ କରିଥିଲା । ବିଜେପି ଯେଉଁଭଳି ବ୍ୟବହାର ଦେଖାଇବ, ଟିଏମସି ମଧ୍ୟ ସେହିଭଳି ଭାବେ ଜବାବ ଦେବ ବୋଲି ଅଭିଷେକ କହିଛନ୍ତି ।

ତେବେ ଏପରି ଏକ ଅଭିଯୋଗ ରାଜନୈତିକ ପ୍ରେରିତ ବୋଲି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ସେପଟେ ଏନଆଇଏ ଟିମ୍ ଉପରେ ଆକ୍ରମଣ ଅଭିଯୋଗ । ୨୦୨୨ ମସିହାର ଏକ ବୋମା ବିସ୍ପୋରଣ ମାମଲାରେ ଶନିବାର ଏନଆଇଏ ଟିମ୍ ବେଙ୍ଗଲର ପୂର୍ବ ମେଦିନାପୁର ଜିଲ୍ଲାରେ ଥିବା ଭୂପତିନଗରରେ ପହଂଚିଥିଲା । ହେଲେ ତଦନ୍ତ କରିବାକୁ ଆସି ଏନଆଇଏ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏବେ ଏହାକୁ ନେଇ ଟିଏମସି ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ଏକ ନିର୍ବାଚନୀ ସଭାରେ କହିଛନ୍ତି, ଟିଏମସି ଦୁର୍ନୀତିଖୋର ଏବଂ ଅପରାଧ ଶ୍ରେଣୀର ଲୋକଙ୍କୁ ସୁରକ୍ଷା ଦେଉଛି । ଏପରି କରି ଦୁର୍ନୀତିଖୋର ଲୋକଙ୍କୁ ଉତ୍ସାହିତ କରୁଛି ଟିଏମସି । ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଆକ୍ରମଣ କରୁଛି । ଏହିପରି କାମ କରିବାକୁ ଯାଇ ଟିଏମସି, କଂଗ୍ରେସ ଭଳି ଦଳ ଏକାଠି ହୋଇ ଇଣ୍ଡିଆ ମେଂଟ ଗଠନ କରିଛନ୍ତି । ତେବେ ଏହାର ଜବାବ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଏପରି ଅଭିଯୋଗକୁ ଖାରଜ କରିଛନ୍ତି । ଇଡି, ସିବିଆଇ, ଇନକମ ଟ୍ୟାକ୍ସ ଆଦି ବିଭାଗ ବିଜେପିର ଏକ ଶାଖା ଭଳି କାମ କରୁଛି । ଏହି ସବୁ କେନ୍ଦ୍ରୀୟ ଏଜେନ୍ସିକୁ ବ୍ୟବହାର କରି ଟିଏମସି ନେତାଙ୍କୁ ଦଳ ବଦଳ କରି ବିଜେପିରେ ସାମିଲ କରିବାକୁ ପ୍ରୟାସ ହେଉଛି ବୋଲି ମମତା କହିଛନ୍ତି ।