ପଶୁ ଦେହରୁ ମଣିଷ ପାଖକୁ କରୋନା ଭୂତାଣୁ ଆସୁଥିବା ଆଶଙ୍କା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଚୀନର ମିଳିତ ଗବେଷଣାରୁ ଆସିଲା ରିପୋର୍ଟ

202

କନକ ବ୍ୟୁରୋ: ପଶୁ ଦେହରୁ ମଣିଷକୁ ସଂକ୍ରମଣ କରିଥାଇ ପାରେ କରୋନା ଭୂତାଣୁ । କରୋନାର ଦ୍ୱିତୀୟ ଲହର ଚିନ୍ତା ବଢ଼ାଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନର ମିଳିତ ଗବେଷଣାରେ ଏପରି ଆକଳନ କରାଯାଉଛି । ଗବେଷଣାରୁ ମିଳିଥିବା ତଥ୍ୟ କହୁଛି, ବାଦୁଡ଼ିରୁ କରୋନା ଭୂତାଣୁ କୌଣସି ପଶୁକୁ ସଂକ୍ରମିତ କରିବା ପରେ ପଶୁରୁ ମଣିଷକୁ ସଂକ୍ରମଣ ହେବା ସମ୍ଭାବନା ଅଧିକ । ଚୀନର ଏକ ଲାବୋରେଟୋରୀରୁ ଭୂତାଣୁ ଲିକ୍ ହୋଇଥିବା ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଛି ଏହି ଗବେଷଣା ।

ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ ଲାବୋରେଟୋରୀରୁ ଲିକ୍ ହେବା ନେଇ କୌଣସି ପ୍ରମାଣ ମିଳିନାହିଁ । କରୋନା ମହାମାରୀରେ ସାରା ବିଶ୍ୱ ହନ୍ତସନ୍ତ ହେଉଥିବା ବେଳେ ଏହାର ଉତ୍ପତି ସ୍ଥଳ ନେଇ ବିବାଦ ଜାରି ରହିଛି । ଏ ନେଇ ଅନେକ ଗବେଷଣା ଚାଲିଥିବା ବେଳେ ଏପର୍ଯ୍ୟନ୍ତ କୌଣସି ସଠିକ ସିଦ୍ଧାନ୍ତରେ କେହି ପହଁଚି ପାରିନାହାନ୍ତି । ଚୀନର ଉହାନ୍ ସହରରେ େଓଟ୍ ମାର୍କେଟରୁ କରୋନା ବ୍ୟାପିଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଚୀନର ମିଳିତ ଗବେଷଣାରୁ ମିଳିଥିବା ତଥ୍ୟ ଆସନ୍ତାକାଲି ସର୍ବସାଧାରଣରେ ପ୍ରକାଶ କରାଯିବ ବୋଲି ଆଶା କରାଯାଉଛି ।

ଜର୍ଜଟାଉନ୍ ୟୁନିଭରସିଟିର ବୈଜ୍ଞାନିକ ମାଥ୍ୟୁ କାଭାନାଗ୍ କହିଛନ୍ତି, ଏହି ଗବେଷଣାରେ, ଭୂତାଣୁର ଉତ୍ପତି ନେଇ ଗଭୀର ଅନୁଶୀଳନ କରାଯାଇଛି । ତେବେ ଏଥିପାଇଁ ଆହୁରି ତଥ୍ୟ ଆବଶ୍ୟକ ବୋଲି ସେ କହିଛନ୍ତିି । ଚୀନ ସରକାର ଏ ନେଇ ସମସ୍ତ ତଥ୍ୟ ଦେଇନଥିବାରୁ ଚୂଡ଼ାନ୍ତ ସିଦ୍ଧାନ୍ତରେ ପହଁଚିବା କଷ୍ଟକର ବୋଲି କହିଛନ୍ତି ଜର୍ଜଟାଉନ୍ ୟୁନିଭରସିଟିର ବୈଜ୍ଞାନିକ । ସେପଟେ ଆମେରିକା କହିଛି, ଯେଉଁ ପଦ୍ଧିତି ଅନୁସାରେ ଗବେଷଣା କରାଯାଇଛି, ତାହା ପର୍ଯ୍ୟାପ୍ତ ନୁହେଁ । ଏପରି ରିପୋର୍ଟ ତିଆରି କରିବାରେ ଚୀନ ସରକାରଙ୍କ ହାତ ରହିଥିବା ଅଭିଯୋଗ କରିଛି ଆମେରିକା ।