କନକ ବ୍ୟୁରୋ: ରାଜଧାନୀରେ କରୋନା ସଂଖ୍ୟା କମୁନଥିବା ବେଳେ ଏକ ଚିନ୍ତା ଜନକ ଦିଗ ସାମ୍ନାକୁ ଆସିଛି । ଦୁଇ ଡୋଜ ଟିକା ନେଇ ସାରିଥିବା ୪୦ ପ୍ରତିଶତ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ଓ ସେଥିରୁ ୫ ପ୍ରତିଶତ ଲୋକଙ୍କୁ ହସ୍ପିଟାଲ ଯିବାକୁ ପଡିଛି । ଟିକା ନେଇଥିବା ଲୋକ କୋଭିଡ ନିୟମକୁ ନମାନିବା କାରଣରୁ ରାଜଧାନୀରେ ସଂଖ୍ୟା ବଢୁଛି । ବିଏମସି ପକ୍ଷରୁ ମିଳିଥିବା ତଥ୍ୟ ପ୍ରମାଣିତ କରୁଛି, ଦୁଇ ଡୋଜ ଟିକା ନେବାର ୧୪ ଦିନ ପରେ ସୃଷ୍ଟି ହେଉଥିବା ଆଂଟିବଡିକୁ ମଧ୍ୟ କରୋନା ଭାଇରସ ଭେଦ କରିପାରୁଛି ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ କରୋନା ସଂକ୍ରମଣ ନେଇ ଦିଆଯାଇଥିବା ତଥ୍ୟ କିଛି ଏଭଳି ଚିନ୍ତାଜନକ ଦିଗ ସାମ୍ନାକୁ ଆଣିଛି । ଏଥିରେ କୁହାଯାଇଛି
-ପ୍ରଥମ ଡୋଜ କରୋନା ଟିକା ନେଇ ସଂକ୍ରମିତ ହୋଇଛନ୍ତି ୧୮୯୦ ଜଣ
-ଟିକାର ୨ଟି ଡୋଜ ନେଇ ସଂକ୍ରମିତ ହୋଇଛନ୍ତି ୨୫୨୭ ଜଣ
-୨ଟି ଡୋଜ ନେବାର ୧୪ ଦିନ ପରେ ସଂକ୍ରମିତ ହୋଇଛନ୍ତିି ୧୭୦୫ଜଣ
-ଟିକା ନେଇଥିବା ବ୍ୟକ୍ତିଙ୍କ ଠାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉନାହିଁ
-୫ ପ୍ରତିଶତଙ୍କ ଠାରେ ଦେଖା ଦେଉଛି ମଧ୍ୟମରୁ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା
ବିଶେଷଜ୍ଞ କହୁଛନ୍ତି, ଟିକା ୨ ଡୋଜ ନେବାର ୧୪ ଦିନ ବ୍ୟବଧାନରେ ଆଂଟିବଡ଼ି ବା ପ୍ରତିରୋଧ ଶକ୍ତି ଶରୀରରେ ତିଆରି ହୁଏ । ହେଲେ ବିଏମସିର ତଥ୍ୟକୁ ବିଶ୍ଳେଷଣ କଲେ ଜଣାପଡୁଛି, ରୋଗ ପ୍ରତିରୋଧକ ଶକ୍ତି ଭାଙ୍ଗିବାରେ ସଫଳ ହେଉଛି ଭୁତାଣୁ ।
ଏବେ ସାରା ରାଜ୍ୟର ତଥ୍ୟ କଣ ରହିଛି ତାଉପରେ ନଜର ପକାନ୍ତୁ ।
- ଗୋଟିଏ ଡୋଜ୍ ନେବାପରେ ୧୮, ୮୦୫ ସଂକ୍ରମିତ ହୋଇଛନ୍ତି
- ଦୁଇଟି ଯାକ ଡୋଜ୍ ନେବାପରେ ସଂକ୍ରମିତ ହୋଇଛନ୍ତି ୮୩୯୬
- ଉଭୟ ଡୋଜର ୧୪ ଦିନ ପରେ ଆକ୍ରାନ୍ତ ହୋଇଛନ୍ତି ୫୦୩୯ ଜଣ
ଟିକାର ଦୁଇଟି ଯାକ ଡୋଜ୍ ନେବାପରେ ଲୋକଙ୍କ ଖାମଖିଆଲି ଆଚରଣ ହିଁ ସଂଖ୍ୟା କମାଉନାହିଁ ବୋଲି ସରକାରୀ ସ୍ତରରେ କୁହାଯାଉଛି । କାରଣ, କେହି କୋଭିଡ୍ ନିୟମ ମାନିବାକୁ ପ୍ରସ୍ତୁତ ହେଉନାହାନ୍ତି । ଫଳରେ ନିଜେ ସଂକ୍ରମିତ ହୋଇ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ବାହକ ସାଜୁଛନ୍ତି ଦୁଇଟି ଡୋଜ୍ ନେଇସାରିଥିବା ବ୍ୟକ୍ତି ।
ଭୁବନେଶ୍ୱରରେ ଦୈନିକ ୩୦୦ କେସ୍ ସାମ୍ନାକୁ ଆସୁଛି । କାରଣ ଟିକା ନେଇ ସାରିଥିବା ଲୋକ କୋଭିଡ ଗାଇଡାଇନର ଉଲ୍ଲଂଘନ କରି କାଯ୭୍ୟ କରୁଛନ୍ତି । ସାରା ରାଜ୍ୟରେ ସମାନ କଥା ଦେଖାଦେଉଥିବାରୁ, ସଂକ୍ରମଣ ୨୦୦୦ ପାଖାପାଖି ରହୁଛି ।
ବିଶେଷଜ୍ଞଙ୍କର କହିବା କଥା, ଯେତେ ସମୟ ଭାଇରସ୍ କମ୍ୟୁନିଟିରେ ସକ୍ରିୟ ରହିବ, ଏହା ମ୍ୟୁଟେଟ୍ କରିବାର ସମ୍ଭାବନା ଅଧିକ । ତେଣୁ ଯେଉଁମାନେ ଦୁଇଟି ଡୋଜ୍ ନେଇ ସଂପୁର୍ଣ୍ଣ ସୁରକ୍ଷିତ ବୋଲି ନିଜକୁ ଭାବୁଛନ୍ତି ସେମାନେ ଭାଇରସ୍କୁ ସମାଜରେ ବ୍ୟାପକ କରାଇବାରେ ସହାୟକ ହେଉଛନ୍ତି ।