ଭି.କେ ପାଣ୍ଡିଆନଙ୍କୁ ନେଇ ବଢୁଛି ଚର୍ଚ୍ଚା । ନିର୍ବାଚନ ଫଳାଫଳ ପ୍ରକାଶର ଦୁଇ ଦିନ ପରେ କ୍ୟାମେରା ସାମ୍ନାକୁ ଆସି ନାହାନ୍ତି ପାଣ୍ଡିଆନ୍

2,926

କନକ ବ୍ୟୁରୋ : ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମ୍ନା କରିଛି । କିନ୍ତୁ ଏହି ବିପର୍ଯ୍ୟୟ ପାଇଁ କିଏ ଦାୟୀ । ଏହାକୁ ନେଇ ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀ ପଦରୁ ନୀବନ ପଟ୍ଟନାୟକ ଇସ୍ତଫା ଦେବା ପରେ ଅନେକ ଲୋକ ନିଜ ନିଜ ବାର୍ତା ରଖୁଛନ୍ତି । କିଏ ସୋଶିଆଲ ମିଡିଆରେ ନିଜର ଭିଡିଓ ଜାରି କରି ନିଜ ଭାବନା ପରିପ୍ରକାଶ କରୁଛନ୍ତି । କିନ୍ତୁ ଏହା ସହିତ ଗୋଟିଏ ବଡ ପ୍ରଶ୍ନ ଉଠିଛି । ଯେ ଭିକେ ପାଣ୍ଡିଆନ୍ କୁଆଡେ ଗଲେ । ଚଳିତ ନିର୍ବାଚନରେ ବିଜେଡିର ଯଦି କୌଣସି ନେତା ସର୍ବାଧିକ ପ୍ରଚାର କରିଛନ୍ତି ଏବଂ ଗାଁରୁ ସହର ନିଜର ଉପସ୍ଥିତି ଜାହିର କରିଛନ୍ତି ସେ ହେଉଛନ୍ତି ପାଣ୍ଡିଆନ୍ ।

ନବୀନଙ୍କ ପ୍ରଚାର ବେଳେ ପାଖେପାଖେ ଛିଡା ହୋଇଥାନ୍ତି । କିନ୍ତୁ ନିର୍ବାଚନ ପରାଜୟ ପରେ ଏହି ବ୍ୟକ୍ତି ଜଣଙ୍କର ଦେଖା ମିଳୁନି । କୁଆଡେ ଗଲେ, କେଉଁଠି ଅଛନ୍ତି କଣ କରୁଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଗତକାଲି ବିଜେଡିର ନବ ନିର୍ବାଚିତ ବିଧାୟକ ବୈଠକରେ ମଧ୍ୟ ପାଣ୍ଡିଆନ୍ ଅନୁପସ୍ଥିତ ଥିଲେ । ଆଇଏଏସ ଚାକିରିରେ ଥିବା ବେଳେ ମଧ୍ୟ ସେ ଦଳୀୟ କାର୍ଯ୍ୟକ୍ରମରେ ସଂପୃକ୍ତି ରଖୁଥିବା ଅଭିଯୋଗ ରହିଛି । ହେଲେ ଏବେ ପରାଜୟ ପରେ କୈଣସି ବୈଠକରେ ଯୋଗ ନଦେବା ଅନେକ ଚର୍ଚ୍ଚାକୁ ଖୋରାକ ବଢାଇଛି । ସେ ପ୍ରଚାର ବେଳେ ବିଜେପି ବିକାଶକୁ ବିରୋଧୀ କହୁଥିଲେ । ଏଥର ଫଳାଫଳ ପ୍ରକାଶ ପାଇଲେ ଦୁଇ ତୃତୀୟାଂଶ ଆସନରେ ବିଜେଡି ବାଜିମାତ କରିବ ବୋଲି ପାଣ୍ଡିଆନ୍ ଦୃଢୋକ୍ତି ପ୍ରକାଶ କରିଥିଲେ । ଯଦି ନହେବ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ଖୋଲା ମଂଚରେ ଘୋଷଣା କରିଥିଲେ । ଏବେ କିନ୍ତୁ ପରାଜୟ ପରେ ପାଣ୍ଡିଆନେ କେଉଁଠି ମୁହଁ ଲୁଚାଇଛନ୍ତି ତାକୁ ନେଇ ସୋଶିଆଲ ମିଡିଆରେ ପ୍ରଶ୍ନ ଉଠିଛି । ଏହାରି ଭିତରେ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ସେ ବିଜେଡି ସଦସ୍ୟ ବୋଲି ହଟାଇ ଦେଇଛନ୍ତି । ନବୀନଙ୍କ ସହ ସେ କାମ କରିଥିବାରୁ ଖୁସି ବୋଲି ଉଲ୍ଲେଖ କରିଛନ୍ତି । ବଡକଥା ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର ବେଳେ କହିଥିଲେ, ରାଜ୍ୟରେ ବିଜେପି ସରକାର ଗଢିଲେ ସମସ୍ତ ଦୁର୍ନୀତିର ତଦନ୍ତ ହେବ, ମାଫିଆର ଅଂଟା ଭାଙ୍ଗି ଦିଆଯିବ ଏମିତିକି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡୁରୁ ଖୋଜି ଅଣାଯିବ ।