ସରପଞ୍ଚ ପଦ ପାଇଁ ଆଶାୟୀ ଅଧିକ । ନେତାଙ୍କ ପାଇଁ ବଢ଼ୁଛି ଚାପ

85

କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ସମୟ ଶେଷ ହେବା ପାଇଁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ସମୟ ସରି ଆସୁଥିବାରୁ ଦଳୀୟ ସମର୍ଥନ ପାଇଁ ବିଧାୟକ ଓ ନେତାଙ୍କ ପାଖରେ ଆଶାୟୀ ପ୍ରାର୍ଥୀ ଭିଡ ଜମାଉଛନ୍ତି । କିନ୍ତୁ ଚଳିତ ଥର ଜିଲ୍ଲା ପରିଷଦ, ସମିତି ସଭ୍ୟଙ୍କ ଅପେକ୍ଷା ସରପଞ୍ଚ ପଦ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଛି । କରୋନା ସମୟରେ ସରପଞ୍ଚମାନଙ୍କୁ ଜିଲ୍ଳାପାଳ କ୍ଷମତା ଦିଆଯିବା ଓ ପଞ୍ଚାୟତକୁ ଆସୁଥିବା ଟଙ୍କାକୁ ସରପଞ୍ଚମାନେ ସିଧାସଳଖ ଖର୍ଚ୍ଚ କରିପାରୁ ଥିବାରୁ ଏହି ପଦ ପାଇଁ ଆଶାୟୀଙ୍କ ସଂଖ୍ୟା ଅଧିକ ରହିଥିବା ସ୍ୱୀକାର କରିଛନ୍ତି ନେତା । ଯାହାକି ସ୍ଥାନୀୟ ବିଧାୟକ ଓ ନେତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । କାହାକୁ ସମର୍ଥନ କରିବେ ସେ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ।

  • ବିଧାୟକ ଚୟନ କରୁଛନ୍ତି ସରପଞ୍ଚ
  • ହେଲେ ଦଳୀୟ ଚିହ୍ନରେ ଲଢ଼ୁନାହାଁନ୍ତି ପ୍ରାର୍ଥୀ

ସରପଞ୍ଚ , ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀ କୌଣସି ଦଳୀୟ ଭିତିରେ ନିର୍ବାଚନ ଲଢ଼ି ନଥାନ୍ତି । ଏଥିପାଇଁ ସେମାନେ ଦଳୀୟ ଚିହ୍ନ ବଦଳରେ ଭିନ୍ନ ଭିନ୍ନରେ ଚିହ୍ନରେ ଲଢ଼ିଥାନ୍ତି । କିନ୍ତୁ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ତାଙ୍କ ନିର୍ବାଚନ ମଣ୍ଡଳୀରେ ଜାରି କରିଥିବା ଏକ ଚିଠିରେ କେଉଁ ପଂଚାୟତରେ କେଉଁ ସରପଂଚ ପ୍ରାର୍ଥୀ ଓ କେଉଁ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରୁଛି ସେମାନଙ୍କ ତାଲିକା ପ୍ରକାଶ କରିଛନ୍ତି । ଯାହାକି ସରପଞ୍ଚ, ସମିତି ସଭ୍ୟ ପାଇଁ ଥିବା ନିର୍ବାଚନ ନିୟମ ଓ ଆଭିମୁଖ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅନ୍ୟପଟେ ଦଳୀୟ ଟିକେଟରେ ନିର୍ବାଚନ ଲଢ଼ୁନଥିଲେ ବି ବିଧାୟକମାନେ କେମିତି ସରପଂଚ ପ୍ରାର୍ଥୀ ଚୟନ କରୁଛନ୍ତି ତାର ଆଉ ଏକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି । ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ତାଙ୍କ ନିର୍ବାଚନମଣ୍ଡଳୀର ମୁକୁନ୍ଦପୁର ପାଟଣା ପଞ୍ଚାୟତରେ କିଏ ସରପଞ୍ଚ ଓ କିଏ ସମିତି ସଭ୍ୟ ପ୍ରାର୍ଥୀ ହେବେ ତାହା ସ୍ଥିର କରିଛନ୍ତି । ଆଉ ପ୍ରାର୍ଥୀଙ୍କ ନାଁ ବି ଘୋଷଣା କରିଛନ୍ତି । ଏପରିକି ପୂର୍ବତନ ସରପଞ୍ଚଙ୍କୁ ନିର୍ବାଚନରୁ ଓହରି ଯିବାକୁ କହୁଥିବା ଭିଡିଓ ଭାଇରାଲ ହେଉଛି । ତେବେ ବିଧାୟକଙ୍କ ଏପରି ଘୋଷଣା ସାଧାରଣ ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।