ଜଗା ଦର୍ଶନ ପାଇଁ କରୋନା ରିପୋର୍ଟ ପାଇବାକୁ ଘରୋଇ ହସ୍ପିଟାଲ ଆଗରେ ଲମ୍ବା ଲାଇନ୍ । ସରକାରୀ ବ୍ୟବସ୍ଥା ନଥିବାରୁ ଲୋକେ ଅସନ୍ତୋଷ ।

127

କନକ ବ୍ୟୁରୋ : କୋଭିଡ୍ କଟକଣା ଏବଂ ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଆଜି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ । ହେଲେ, କାଳିଆ ଦର୍ଶନ ପାଇଁ କରୋନା ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ ହୋଇଥିବାରୁ ଦୁରଦୁରନ୍ତାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ବେଶ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏମିତି କି ଜଗା ଦର୍ଶନ ପାଇଁ ପୁରୀର ଘରୋଇ ହସ୍ପିଟାଲ ଏବଂ ପାଥୋଲ୍ୟାବ୍ ଗୁଡ଼ିକରେ ପ୍ରବଳ ଗହଳି ଦେବାକୁ ମିଳୁଛି ।

ପୁରୀର ବିଭିନ୍ନ ଘରୋଇ ହସ୍ପିଟାଲ ଓ ପାଥୋଲ୍ୟାବ୍ ଗୁଡ଼ିକରେ ଲାଗିଥିବା ଏହି ଭିଡ ପଛରେ ରହିଛି, ଜଗା ଦର୍ଶନର ଅଭିଳାଷା । ଦୁରଦୁରାନ୍ତରୁ ଧାଇଁ ଆସିଛନ୍ତି ହଜାର ହଜାର ଭକ୍ତ । ହେଲେ କୋଭିଡ୍ ନେଗେଟିଭି ରିପୋର୍ଟକୁ ବାଧ୍ୟତାମୂଳକ ହୋଇଥିବାରୁ ରିପୋର୍ଟ ପାଇଁ ଶ୍ରଦ୍ଧାଳୁଙ୍କୁ ବେଶ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଆଉ ସୁବିଧାରେ କୋଭିଡ୍ ଟେଷ୍ଟ ରିପୋର୍ଟ ମିଳୁନଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଦୀର୍ଘ ୯ ମାସ ପରେ ମନ୍ଦିର ଖୋଲି ଥିବାରୁ ଠାକୁର ଦର୍ଶନର ଆଶା ନେଇ ଧାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ହେଲେ ଶ୍ରଦ୍ଧାଳୁଙ୍କ କୋଭିଡ୍ ଟେଷ୍ଟ ପାଇଁ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନଥିବା ଲୋକଙ୍କୁ ନିରାଶ କରିଛି ।

ଯେଉଁଠି ହାତ ଗଣିତ ଘରୋଇ ହସ୍ପିଟାଲ କିମ୍ବା ଲ୍ୟାବ୍ରେ ଟେଷ୍ଟ ହେଉଛି, ସେଠି ଶ୍ରଦ୍ଧାଳୁମାନେ ଭିଡ୍ ଲଗାଉଛନ୍ତି । ଆଉ ସମୟ ଅନୁସାରେ ଟେଷ୍ଟ ହୋଇପାରୁନଥିବାରୁ ଅନେକ ଶ୍ରଦ୍ଧାଳୁଙ୍କୁ ନିରାଶ ହୋଇ ଫେରିବାକୁ ପଡୁଥିବା ଅଭିଯୋଗ ହୋଇଛି ।
ଏସବୁ ଭିତରେ ବଡ଼ କଥା ହେଉଛି, ଯେଉଁଯାତ୍ରୀମାନେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିବେ ସେମାନେ ନିଜ ନିଜ ଅଂଚଳରୁ କୋଭିଡ୍ ରିପୋର୍ଟ ନେଇ ଆସିବା ପାଇଁ ପୂର୍ବରୁ କୁହାଯାଇଥିଲା, ହେଲେ ପୁରୀରେ କୋଭିଡ୍ ଟେଷ୍ଟ କରିବା ଲକ୍ଷ୍ୟ ନେଇ ଶ୍ରଦ୍ଧାଳୁ ଚାଲି ଆସୁଛନ୍ତି । ଯେଉଁଥି ପାଇଁ ଏବେ ଏହି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି ।