କନକ ବ୍ୟୁରୋ: ଚା’ କଫି ପିଇବା ପ୍ରାୟ ସମସ୍ତଙ୍କର ପସନ୍ଦ । ବ୍ୟସ୍ତବହୁଳ ଜୀବନ ଭିତରେ ଚା’ ଓ କଫି ପିଇ ଲୋକେ କିଛି ସମୟ ପାଇଁ ବ୍ରେକ୍ ନେଇଥାଆନ୍ତି । କେହି କେହି କୁହନ୍ତି ଚା’ ପିଇଲେ ମନକୁ ହାଲକା ଲାଗିଥାଏ । ଆଉ ସେଥିପାଇଁ କୋରାପୁଟ କଫିର ଚାହିଦା ବଜାରରେ ଢ଼େର ଅଧିକା ରହିଛି । ତେବେ ଗ୍ରୀନ୍ ଟି ଭଳି ଏବେ ଗ୍ରୀନ୍ କଫି ଲୋକଙ୍କ ପ୍ରଥମ ପାଲଟିଛି ।

Advertisment

ବିଶ୍ୱ ଦରବାରରେ ରହିଛି କୋରାପୁଟ କଫିର ଏକ ସ୍ୱତନ୍ତ୍ର ସ୍ଥାନ । ଆରବିକା ଓ ବ୍ରାଜିଲିଆନ ୟେଲୋ ବର୍ବନ୍ କଫି ପରେ ଏବେ କୋରାପୁଟର ଗ୍ରୀନ୍ କଫି ଚର୍ଚ୍ଚାକୁ ଆସିଛି । ଗ୍ରୀନ ‘ଟି’ ଭଳି ଗ୍ରୀନ କଫି ବର୍ତମାନ ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି । କୋରାପୁଟ କଫି ବୋର୍ଡର ଅଧିକାରୀ ଉପେନ୍ଦ୍ର ସାହାଙ୍କ କହିବା ମୁତାବିକ ଏହି ଗ୍ରୀନ୍ କଫି ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ । ଅଧିକାଂଶ ଲୋକ ରୋଷ୍ଟେଡ଼ କଫି ବ୍ୟବହାର କରୁଥିବା ବେଳେ ଧିରେ ଧିରେ ଗ୍ରୀନ୍ କଫିର ବ୍ୟବହାର ବଢ଼ୁଛି । ଓଡ଼ିଶାରେ ଏହାର ଏତେ ଚାହିଦା ନଥିବା ବେଳେ କର୍ଣ୍ଣାଟକ, ପୁନେ, ମୁମ୍ବାଇ ସମେତ ସମସ୍ତ ମେଟ୍ରୋ ସହର ଗୁଡ଼ିକରେ ଏହାର ବ୍ୟବହାର ବଢ଼ୁଛି । ଗ୍ରୀନ କଫିରେ ଥିବା ଔଷଧୀୟ ଗୁଣ ତଥା କ୍ଲୋରୋଜେନିକ୍ ଏସିଡ ଯୋଗୁଁ ଶରୀରରେ ଥିବା ମୋଟାପଣ ହ୍ରାସ ପାଇଥାଏ । ଏହା ସହ ବ୍ଲଡ଼ ସୁଗର ଓ ବ୍ଲଡ଼ ପ୍ରେସର୍ ସ୍ଥିର ରଖିଥାଏ । ଲିଭର ଓ ହାର୍ଟ ମଧ୍ୟ ସୁସ୍ଥ ରଖିବାରେ କାର୍ଯ୍ୟ କରିଥାଏ ।

କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ୧୧୪ ହେକ୍ଟର, ଦଶମନ୍ତପୁର ବ୍ଲକରେ ୫୪୦ ହେକ୍ଟର, ଲକ୍ଷ୍ମୀପୁରରେ ୩୦୩ ହେକ୍ଟର, ନନ୍ଦପୁରରେ ୩୫୨ ହେକ୍ଟର, କୋରାପୁଟରେ ୨୭୧ ହେକ୍ଟର, ବୋରିଗୁମ୍ମାରେ ୩୧ ଓ ପଟାଙ୍ଗୀରେ ୪୦ ହେକ୍ଟର ଜମିରେ କଫି ଚାଷ କରାଯାଉଛି । ଜିଲ୍ଲାରେ ଆଦିବାସୀ ଓ ଅଣଆଦିବାସୀ ଚାଷୀ ମିଶି ୩ ହଜାର ୧୭୨ ଜଣ କଫି ଚାଷୀ ରହିଛନ୍ତି । ୨୦୨୨-୨୩ରେ ୫୦୦ ହେକ୍ଟର ଓ ୨୦୨୩-୨୪ରେ ୬୦୦ ହେକ୍ଟର ଜମିରେ ଆହୁରି ଅଧିକ କଫି ଚାଷ କରିବା ପାଇଁ ଯୋଜନା ରହିଛି । ଚାଷୀଙ୍କ ଠାରୁ ଟିଡିସିସି କେଜି ପ୍ରତି ୪୫ ଟଙ୍କା ଲେଖାଏଁ ଚୋପା ଲଗା କଫି କିଣୁଥିବାବେଳେ ଏହାକୁ ତିନୋଟି ପ୍ରକ୍ରିୟାରେ ଶେଷ କରିବା ପରେ ୧୨୦୦ ଟଙ୍କାରେ ବିକ୍ରି କରୁଛି । ଗତବର୍ଷ ୧୧ ମେଟ୍ରିକ ଟନ୍ କଫି କିଲୋ ପ୍ରତି ୨୩୦ ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି ।

ଆରବିକା କଫି ଫ୍ଲେଭର ହେଉଛି ବିଶ୍ୱର ସର୍ବପୁରାତନ କଫି । ଯାହା ପ୍ରଥମେ ଆରବରେ ଚାଷ ହୋଇଥିଲା । ସମୟକ୍ରମେ ଏହା ସାରା ବିଶ୍ୱରେ ଚାଷ ହେଉଛି । କୋରାପୁଟରୁ ମିଳୁଥିବା କଫି ଏହି ଆରବିକା କଫିର ଏକ ଅଂଶ ବୋଲି କୁହାଯାଉଛି ।