କେନ୍ଦ୍ର ସରକାରଙ୍କୁ ଗଡକରୀଙ୍କ ସମାଲୋଚନା, ଲୋକଙ୍କ ପରାମର୍ଶ ନନେଇ ସରକାର କରୁଛନ୍ତି କାମ

894

କନକ ବ୍ୟୁରୋ : କେନ୍ଦ୍ର ରାଜମାର୍ଗ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ପୁଣିଥରେ କେନ୍ଦ୍ର ସରକାର ଓ ପ୍ରଶାସନକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି କି ସରକାର ସମ୍ପୂର୍ଣ୍ଣ ଅହଂକାରୀ ହୋଇପଡିଛନ୍ତି । ସରକାର ଭାବୁଛନ୍ତି କି ତାଙ୍କ ପାଖରେ ସମ୍ପୂର୍ଣ୍ଣ ସୂଚନା ରହିଛି ତେଣୁ ସେ ଲୋକଙ୍କ ପରାମର୍ଶ ଗ୍ରହଣ କରିବାକୁ ରାଜି ହେଉ ନାହାଁନ୍ତି । ଜଣେ ଭଲ ଲୋକ ନିଜ ପାଖରେ ନିନ୍ଦୁକମାନଙ୍କୁ ରଖିଥାଏ ବୋଲି ଗଡକରୀ କହିଛନ୍ତି । ଦିଲ୍ଲୀରେ ଏକ ଘରୋଇ କଂସଲ୍ଟ ଆପ୍ ଉଦଘାଟନ ସମାରୋହରେ ଯୋଗଦେଇ ଗଡକରୀ ଏଭଳି ବୟାନ ଦେଇଛନ୍ତି ।

ସେ ପ୍ରଶାସନକୁ ଦୋଷ ଦେଇ କହିଛନ୍ତି କି ଠିକ୍ ସମୟରେ ନିଷ୍ପତ୍ତି ନନେଇ ପାରିବାରୁ ପ୍ରୋଜେକ୍ଟଗୁଡିକ ଡେରି ହେଉଛି । ସେ ଆହୁରି କହିଛନ୍ତି କି ଜଏଣ୍ଟ ସେକ୍ରେଟାରୀଙ୍କ ଭୁଲକୁ ସେକ୍ରେଟାରୀ ଲୁଚାଉଥିବା ବେଳେ ସେକ୍ରେଟାରୀଙ୍କ ଭୁଲକୁ ମନ୍ତ୍ରୀ ଘଣ୍ଟ ଘୁଡାଉଛନ୍ତି ବୋଲି ଗଡକରୀ ଅଭିଯୋଗ କରିଛନ୍ତି । ହେଲେ ସେ ନିଜକୁ ପରାଦର୍ଶୀ ଓ ଦାୟିତ୍ୱ ନିର୍ବାହ କରିବାକୁ ସକ୍ଷମ ବୋଲି କହିଛନ୍ତି ।

ଅନ୍ୟପଟେ ଜମି ଅଧିଗ୍ରହଣ ସମସ୍ୟାକୁ ନେଇ ସରକାରଙ୍କୁ ବି ଘେରିଛନ୍ତି ଗଡକରୀ । ସେ କହିଛନ୍ତି କି ଲୋକମାନଙ୍କ ପରାମର୍ଶକୁ ସରକାର ଶୁଣୁ ନଥିବାରୁ ଜମି ଅଧିଗ୍ରହଣରେ ସରକାର ବିଶେଷ ସଫଳତା ପାଇପାରୁ ନାହାଁନ୍ତି  । ରାଜମାର୍ଗ ପାଇଁ ହେଉଥିବା ଜମି ଅଧିଗ୍ରହଣ ପ୍ରସଙ୍ଗରେ ଗଡକରୀ କହିଛନ୍ତି କି ଜମି ମାଲିକମାନଙ୍କୁ ଜମିର ମୂଲ୍ୟଠାରୁ ଅଧିକ ଦିଆଯାଉଥିବାରୁ ଲୋକମାନେ ଖୁସି ଖୁସିରେ ସରକାରଙ୍କ ହାତକୁ ଜମି ଟେକି ଦେଉଛନ୍ତି ।

କେନ୍ଦ୍ରମନ୍ତ୍ରୀ ନିତୀନ ଗଡକରୀ ସୋମବାରକୁ କନସଲ୍ଟ ଆପ୍ ଲଂଚ୍ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପୂର୍ବ ଆଇଏଏସ ରାଘବ ଚନ୍ଦ୍ରା ଯୋଗଦେଇ କହିଥିଲେ କି ଏହି ଆପରେ ୬୫ ଟି ଅଞ୍ଚଳର ଦେଶର ୩୮୦ ଜଣ ବିଶେଷଜ୍ଞ ଯୋଡି ହୋଇଛନ୍ତି । ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ବି ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ସେ କହିଥିଲେ କି ଆଗାମୀ ସମୟରେ ନୀତି ଆୟୋଗ ଏହି ଆପର ସହାୟତା ନେବ, କାରଣ ଏହି ଆପରେ ସବୁ ପ୍ରସଙ୍ଗରେ ସହାୟତା ଦେବାକୁ ବିଶେଷଜ୍ଞମାନେ ଯୋଡି ହୋଇଛନ୍ତି ।