ଭିତରକନିକା ପ୍ରବେଶ ପଥରେ ଅଛି ସରକାରୀ ଠିପି ବନ୍ଦ ମଦ ଦୋକାନ । ମଦ ପିଇ ପର୍ଯ୍ୟଟନସ୍ଥଳୀରେ ଉତ୍ପାତ କରୁଛନ୍ତି ଅସାମାଜିକ ବ୍ୟକ୍ତି, ପ୍ରଭାବିତ ହେଉଛନ୍ତି ପର୍ଯ୍ୟଟକ ।

173

କନକ ବ୍ୟୁରୋ : ଜାତୀୟ ଉଦ୍ୟାନ ଭିତରକନିକାର ପ୍ରବେଶ ପଥ ଓ ମା’ ଜୟଦୁର୍ଗାଙ୍କ ପୀଠ ନିକଟରେ ରହିଛି ସରକାରୀ ଠିପି ବନ୍ଦ ମଦ ଦୋକାନ । ସବୁଠୁ ବଡକଥା ହେଉଛି ସରକାରୀ ଜମିରେ ରହିଛି ଏହି ମଦ ଦୋକାନ । ଆଉ ମଦ ଦୋକାନ ଭିତରକନିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି । ଆଳି ବିଧାୟକ ପ୍ରତାପ କେଶରୀ ଦେବ, ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଏହି ପ୍ରସଙ୍ଗ ଉଠାଇଥିବା ବେଳେ ମଦ ଦୋକାନ ଉଚ୍ଛେଦ ପାଇଁ ପ୍ରାୟ ବର୍ଷେ ତଳୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜନଗର ଡିଏଫଓ । ତେବେ ଏହାରି ଭିତରେ ଜିଲ୍ଲାପାଳଙ୍କ ବଦଳି ହୋଇସାରିଛି, କିନ୍ତୁ ଏ ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେଣୁ ଏହାକୁ ନେଇ ଆଗାମୀ ଦିନରେ ଡାଙ୍ଗମାଳ ପଞ୍ଚାୟତରେ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବାର ଆଶଙ୍କା କରାଯାଉଛି ।

ସ୍କୁଲ, ମନ୍ଦିର ନିକଟରେ ମଦ ଦୋକାନ ଖୋଲି ପାରିବ ନାହିଁ । କିନ୍ତୁ କେନ୍ଦ୍ରାପଡା ରାଜନଗର ବ୍ଲକ ଡାଙ୍ଗମାଳରେ ସବୁ ଆଇନକୁ ଫୁ କରି ଖୋଲାଯାଇଛି ସରକାରୀ ଠିପି ବନ୍ଦ ବିଦେଶୀ ମଦ ଦୋକାନ । ପର୍ଯ୍ୟଟନସ୍ଥଳୀ ଭିତରକନିକାର ୧୦ ଫୁଟ ଦୂର ଓ ଉପକୂଳରେ ଥିବା ମା’ ଜୟଦୁର୍ଗାଙ୍କ ମନ୍ଦିର ଠାରୁ ମାତ୍ର ୫୦ ଫୁଟ ଦୂରରେ ରହିଛି ଏହି ଦୋକାନ । ଆଉ ଏଇଠୁ ମଦ ପିଇ ଭିତରକନିକା ଭିତରେ ପ୍ରବେଶ କରି ଉତ୍ପାତ୍ କରୁଛନ୍ତି କିଛି ଆସାମାଜିକ ବ୍ୟକ୍ତି । ଯାହା ବିଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ କରୁଛି ।

ମଦ୍ୟପ ବ୍ୟକ୍ତି, ପର୍ଯ୍ୟଟକଙ୍କୁ ଅଶ୍ଲିଳ ଇଙ୍ଗିତ କରିବା ସହ ଉଦ୍ୟାନ ଭିତରେ ହୋହହ୍ଲା ଓ ପାଟିତୁଣ୍ଡ କରିଥାନ୍ତି । ଭିତରକନିକାରେ ମଦ୍ୟପଙ୍କ ପ୍ରଭାବ ଅସହ୍ୟ ହେବାରୁ ମଦ ଦୋକାନକୁ ଉଚ୍ଛେଦ କରିବା ପାଇଁ ରାଜନଗର ଡିଏଫଓ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛନ୍ତି । ସେ ପ୍ରାୟ ବର୍ଷେ ତଳୁ ଚିଠି ଲେଖିଥିବା ବେଳେ ତତ୍କାଳୀନ ଜିଲ୍ଲାପାଳଙ୍କ ବଦଳି ହୋଇସାରିଛି, କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଏହାସହ ଡାଙ୍ଗମାଳ ଠାରେ ଆୟୋଜିତ କେନ୍ଦ୍ରାପଡା ଜିଲ୍ଲା ଯୋଜନା ବୋର୍ଡ ବୈଠକରେ ଭିତରକନିକା ନିକଟରେ ଠିପି ବନ୍ଦ ମଦ ଦୋକାନକୁ ଉଚ୍ଛେଦ କରିବାକୁ ଆଳି ବିଧାୟକ ପ୍ରତାପ କେଶରୀ ଦେବ ମତ ରଖିଛନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ବିଦେଶୀ ଠିପି ବନ୍ଦ ମଦ ଦୋକାନଟି ଏକ ବ୍ୟକ୍ତିଗତ ଜାଗାରେ ଖୋଲା ଯାଇଥିବା ଅବକାରୀ ବିଭାଗକୁ ଦର୍ଶାଯାଇଛି । ମାତ୍ର ସରକାରୀ ରେକର୍ଡ କହୁଛି, ଏହା ଶ୍ରୀ ରାଧାଗୋବିନ୍ଦ ହାଟ ମାର୍ଫତ ହାଟ ପରିଚାଳନା କମିଟି ସଂପାଦକ ପ୍ରଫୁଲ୍ଲ ଚନ୍ଦ୍ର ଡିଙ୍ଗାଲଙ୍କ ନାଁରେ ଥିବା ଠାକୁର ଜମିରେ ହୋଇଛି । ଆଉ ସମ୍ପୂର୍ଣ୍ଣ ବେଆଇନ ଭାବରେ କରାଯାଇଥିବା ଏହି ବିଦେଶୀ ମଦ ଦୋକାନକୁ ଉଚ୍ଛେଦ ପାଇଁ କାହିଁକି ଅବକାରୀ ବିଭାଗ ଚୁପ ବସିଛି, ତାହା ଜଣାପଡୁନାହିଁ ।