କନକ ବ୍ୟୁରୋ: ଚାଷ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଠି ଚାଷୀର ଦୁଃଖ । ସ୍ୱଳ୍ପ ବର୍ଷା, ରୋଗ ପୋକ ପରେ ମଣ୍ଡି ସମସ୍ୟା ଓ କଟନୀ ଛଟନୀ । ଶେଷରେ ଧାନ ବିକ୍ରି କରି ଆକାଉଣ୍ଟରେ ଟଙ୍କା ଆସିବା ପରେ ବ୍ୟାଙ୍କରେ ବି ଲମ୍ବା ଲାଇନ କରି ନୟାନ୍ତ ହେବାକୁ ପଡୁଛି ।

  • ସରୁନି ଚାଷୀଙ୍କ ଦୁଃଖ
  • ଧାନ ବିକିଲେ ଏବେ ଟଙ୍କା ପାଇଁ ଭିଡ଼

ସୁନ୍ଦରଗଡ ସେଂଟ୍ରାଲ କୋ-ଅପରେଟିଫ୍ ବ୍ୟାଙ୍କ ଆଗରେ ଲାଗିଛି ଭିଡ । ଧାଡିରେ ଠିଆ ହୋଇଛନ୍ତି ଚାଷୀ । ନିଜ ଅମଳ ଧାନକୁ ମଣ୍ଡିରେ ବିକିବା ପରେ ଟଙ୍କା ପାଇଁ ଅପେକ୍ଷା କରିଛନ୍ତି ସୁନ୍ଦରଗଡ ଜିଲ୍ଲାର ଚାଷୀ । ସରକାର ଧାନ କିଣି ନେବା ପରେ କୋ-ଅପରେଟିଭ ସୋସାଇଟିରେ ଥିବା ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି । ସେହି ଟଙ୍କା ଉଠାଇବା ପାଇଁ ଚାଷୀମାନେ ସକାଳୁ ସଂଧ୍ୟା ଯାଏଁ ବ୍ୟାଙ୍କରେ ଅପେକ୍ଷା କରୁଛନ୍ତି ।

ଆଉ ଏକ ଅଭିଯୋଗ, ସକାଳୁ ସଞ୍ଜ ଯାଏଁ ଅପେକ୍ଷା କଲେ ସଂପୂର୍ଣ୍ଣ ଟଙ୍କା ମିଳୁନାହିଁ । ଦିନ ତମାମ୍ ଅପେକ୍ଷା କରିବା ପରେ ୨୦ ହଜାର ଲେଖାଏଁ ଦିଆଯାଉଛି । ଖାତାରେ ଅଧିକ ଟଙ୍କା ଥିଲେ ବି ବ୍ୟାଙ୍କ ଦେଉନଥିବା ଅଭିଯୋଗ ହୋଇଛି । ସଂପୂର୍ଣ୍ଣ ଟଙ୍କା କେବେ ମିିଳିବ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ । ଅନ୍ୟପଟେ ସୁନ୍ଦରଗଡ ସେଂଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ ଶାଖା ପରିଚାଳକା କହିଛନ୍ତି ଦିନକୁ ୩୦ ଲକ୍ଷ ନଗଦ ଟଙ୍କା ଆସୁଛି । ତେଣୁ କିଛି କିଛି କରି ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଉଛି ।

ସରକାର ଚାଷୀର ଧାନ ନେବାର ମାତ୍ର ୨ରୁ୩ ଦିନ ମଧ୍ୟରେ ଚାଷୀଙ୍କ ଆକାଉଂଟକୁ ଟଙ୍କା ପଠାଇ ଦେଉଛନ୍ତି । ହେଲେ ବ୍ୟାଙ୍କ କର୍ତୁପକ୍ଷ ଅବହେଳା କରୁଥିବା ଅଭିଯୋଗ ହୋଇଛି ।