ମହାଦେବଙ୍କ ପାଇଁ ନାହିଁ ମନ୍ଦିର । ୨୦୧୫ରୁ ଯୋଜନା ହୋଇଥିବା ବେଳେ ଏଯାଏଁ ହୋଇନି ନିର୍ମାଣ, ଟିଣ ତଳେ ପୂଜା ପାଉଛନ୍ତି ଭୋଗରାଇର ବାବା ଭୂଷଣ୍ଡେଶ୍ୱର

90

କନକ ବ୍ୟୁରୋ : ଭୋଗରାଇ ବ୍ଲକ କୁମ୍ଭୀରଗଡିରେ ରହିଛି ବାବା ଭୁଷଣ୍ଡେଶ୍ୱରଙ୍କ ପୀଠ । ୧୮ ଏକର ଜମିରେ ରହିଛି ୧୨ ଫୁଟ୍ ୬ ଇଂଚ ଚଉଡା ଓ ୩୭ ଫୁଟ୍ ଗୋଲେଇର ହରହର ମହାଦେବଙ୍କ ଏହି ଲିଙ୍ଗ । ଏଠାରେ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ । ହେଲେ ଦୁଃଖର ବିଷୟ ଏଠି ମହାଦେବଙ୍କ ପାଇଁ ଭବ୍ୟ ମନ୍ଦିରଟିଏ ନିର୍ମାଣ ହୋଇପାରିନାହିଁ । ଟିଣ ଛପର ତଳେ ପୂଜା ପାଉଛନ୍ତି ବାବା ମହେଶ୍ୱର ।

୧୯୮୯ରେ ବାବା ଭୁଷଣ୍ଡେଶ୍ୱରଙ୍କ ପାଇଁ ଏକ ଅସ୍ଥାୟୀ ମନ୍ଦିର ତିଆରି ହୋଇଥିଲା । ୨୦୧୩ ଫାଇଲିନ୍ ବାତ୍ୟା ସମୟରେ ମନ୍ଦିରଟି ଭାଙ୍ଗି ଯିବା ପରେ ସ୍ଥାୟୀ ମନ୍ଦିର ପାଇଁ ଦାବି ହୋଇଥିଲା । ୨୦୧୫ରେ ମନ୍ଦିର ପାଇଁ ଜନମତ ପ୍ରକାଶ ପାଇବା ସହ ପ୍ରାଥମିକ ପର୍ଯ୍ୟାୟରେ ୨୩ କୋଟି ୮୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଦର୍ଶା ଗଲା । କାମ ବି ଆରମ୍ଭ ହେଲା । ମୂଳଦୁଆ ସ୍ଥାପନରେ ୧ କୋଟି ୮୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପରେ କାମ ଆଉ ଆଗଉ ନାହିଁ । ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ନିଅଂଟ ହେବାରୁ କାମ ବନ୍ଦ ରହିଥିବା ବୈଷୟିକ କମିଟି ଓ ଭକ୍ତମାନେ ଅଭିଯୋଗ କରିଛନ୍ତି ।

ବାବା ଭୁଷଣ୍ଡେଶ୍ୱରଙ୍କ ମନ୍ଦିର ନିର୍ମାଣ ପାଇଁ ୫୦ କୋଟିର ଆବଶ୍ୟକତା ଥିବା ବେଳେ ମାତ୍ର ୩ କୋଟି ଟଙ୍କା ମଂଜୁର ହୋଇଛି । ତେଣୁ ମନ୍ଦିର ନିର୍ମାଣ ହୋଇପାରୁନାହିଁ । ଫଳରେ ବର୍ଷ ବର୍ଷ ଧରି ଖରା-ବର୍ଷାରେ ଖୋଲାମେଲାରେ ରହିଛନ୍ତି ମହାଦେବ । ଯାହା ଭକ୍ତଙ୍କୁ ବ୍ୟଥିତ କରୁଛି ।