୨୫ ବର୍ଷରେ ରାଜ୍ୟରେ ୯ଥର ହେଲାଣି ମରୁଡ଼ି । ଜଳବାୟୁ ପରିବର୍ତ୍ତନକୁ ଦାୟୀ କଲେ ପାଣିପାଗ ବିଶେଷଜ୍ଞ । ଭୟଙ୍କର ଭାବେ ପ୍ରଭାବିତ ହୋଇପାରେ ଚାଉଳ ଉତ୍ପାଦନ ।

155

କନକ ବ୍ୟୁରୋ: ରାଜ୍ୟରେ ୨୫ ବର୍ଷ ମଧ୍ୟରେ ୯ ଥର ହେଲାଣି ମରୁଡି  । ଜଳବାୟୁ ଅଭାବ ଯୋଗୁ ଉପଜିଛି ଏପରି ସ୍ଥିତି  । ଯେଉଁ କାରଣରୁ ଫସଲହାନୀ ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ  । ବୈଜ୍ଞାନିକଙ୍କ ମତରେ ବର୍ତ୍ତମାନର ବର୍ଷାର ସ୍ଥିତିକୁ ଦେଖି ପଞ୍ଚାୟତସ୍ତରରେ ବର୍ଷା ମନିଟରିଂ କରାଯାଇ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ  । ରାଜ୍ୟ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ୧୯୯୬, ୧୯୯୮, ୨୦୦୦, ୨୦୦୨, ୨୦୧୦, ୨୦୧୧, ୨୦୧୫ ରାଜ୍ୟରେ ମରୁଡି ହୋଇ ଚାଉଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି  ।

୧୯୯୬ରୁ ୨୦୦୦ ମସିହା ପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ୧୫୦୨.୫ ମିଲିମିଟର ବର୍ଷାର ଆବଶ୍ୟକତା ଥିଲା କିନ୍ତୁ ଏହି ସମୟରେ କମ୍ ବର୍ଷା ଯୋଗୁ ଉତ୍କଟ ମରୁଡି ହୋଇଥିଲା  । ୧୯୯୬ ଓ ୧୯୯୮ ମସିହାରେ ୩୮.୨୭ ଲକ୍ଷ ମେଟ୍ରିକ୍ ଟନ୍ ଓ ୧୯୯୮ରେ ୪୮.୮୫ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା  । ଯାହାକି ୧୯୯୭ ମସିହାଠାରୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ କମ୍  । ଓଡ଼ିଶାରେ ଏପରି ମରୁଡି ସ୍ଥିତି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି ପାଣିପାଗ ବିଶେଷଜ୍ଞ  । ପଞ୍ଚାୟତ ସ୍ତରରେ ଡାଏନାମିକ୍ କଣ୍ଟିଜେନ୍ ପ୍ଲାନିଂ ହେଲେ ଅନାବୃଷ୍ଟିରୁ ରକ୍ଷା ମିଳିବ  । ଯେଉଁଥିରେ ମାଟି ଅନୁସାରେ କେଉଁ ପ୍ରକାର ଫସଲ କରାଯିବା ଉଚିତ ଏହାକୁ ନେଇ ପରାମର୍ଶ ଦିଆଯାଇପାରିବ  ।