କନକ ବ୍ୟୁରୋ : ଚଳିତ ରଥଯାତ୍ରାରେ ବଡ଼ଠାକୁରଙ୍କ ନୀତିରେ ହୋଇଛି ବଡ଼ ବିଭ୍ରାଟ। କନକ ନ୍ୟୁଜ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଶ୍ରୀବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର। ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ବର୍ଷବର୍ଷର ପରମ୍ପରାକୁ ଭାଙ୍ଗି ନୀତିକାନ୍ତି ହୋଇଛି। ଅଣସର ଘରେ ସେନାପଟା ଲାଗି ହୋଇଛି। ହଜାର ହଜାର ବର୍ଷର ରଥ ଆଜ୍ଞାମାଳ ବିଧିକୁ ବି ଭାଙ୍ଗି ଦିଆଯାଇଛି। ଭୋକଉପାସରେ ଠାକୁରଙ୍କୁ ପହଣ୍ଡି କରି ଅଣାଯାଇଛି। ପ୍ରତିପଦା ବଦଳରେ ଦ୍ବିତୀୟାରେ ନେତ୍ରୋତ୍ସବ ଓ ନବଯୌବନ କରାଯାଇଛି। ପହଣ୍ଡି ବେଳେ ବଡ଼ଠାକୁର ଶ୍ରୀବଳଭଦ୍ର ଚାରମାଳ ଉପରେ ପଡ଼ିଯିବା ଭଳି ବଡ଼ ଅଘଟଣ ପରେ ଏଭଳି କହିଛନ୍ତି ହଳଧର ଦାସମହାପାତ୍ର। ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ସେ ଦାୟୀ କରିଛନ୍ତି। ଏହା ସହ ସେ କହିଛନ୍ତି, ବାରମ୍ବାର କହିବା ପରେ ବି ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଜିଦ୍ କାରଣରୁ ଏଭଳି ବଡ଼ ଅଘଟଣ ଘଟିଲା। ଅନଧିକୃତ ଓ ଅସଂପୃକ୍ତ ସେବକଙ୍କୁ ବି ସେ ଦୋଷାରୋପ କରିଛନ୍ତି। ଯେଉଁମାନେ ଏହି ଅଘଟଣ ପଛରେ ଦାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ ଦାବି କରିଛନ୍ତି।
ବଡ଼ଠାକୁରଙ୍କ ନୀତିରେ ହୋଇଛି ବଡ଼ ବିଭ୍ରାଟ । କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀ
/kanak/media/post_attachments/wp-content/uploads/2024/07/14-5.jpg)