କନକ ବ୍ୟୁରୋ: ପାଉଣା ମିଳିଲା ନାହିଁ ବୋଲି ରଥରୁ ଜଗନ୍ନାଥଙ୍କୁ ଓହ୍ଲାଇ ନାହାନ୍ତି ପୂଜକ । ବାହୁଡ଼ାଯାତ୍ରା ପରଠୁ ରଥ ଉପରେ ପୂଜା ପାଉଛନ୍ତି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା । କେବଳ ପୂଜକଙ୍କ ପାଉଣା ପାଇଁ ଦଣ୍ଡ ପାଉଛନ୍ତି ମହାବାହୁ। ଭକ୍ତ ଓ ଭଗବାନଙ୍କୁ ନେଇ ଏଭଳି ଉଦବେଗଜନକ ଖବର, ବାହାର ରାଜ୍ୟ କି ବିଦେଶରେ ନୁହେଁ ଜଗନ୍ନାଥଙ୍କ ଦେଶ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରେ ଦେଖିବାକୁ ମିଳିଛି । ବାହୁଡ଼ା ଯାତ୍ରାକୁ ବହୁ ଦିନ ବିତିଯାଇଥିବଲେ ମଧ୍ୟ ତିନି ଠାକୁରଙ୍କୁ ନିଳାଦ୍ରୀବିଜେ ହୋଇପାରି ନାହିଁ । ମନ୍ଦିର ଖାଁ ଖାଁ ପଡିଛି, ଖୋର୍ଦ୍ଧା ଜିଲା ମଙ୍ଗଳାଯୋଡିରେ ରଥାରୁଢ ତିନି ଠାକୁରଙ୍କୁ ନେଇ ଚର୍ଚ୍ଚା ହେଉଛି । ଅତୀତରେ ମଙ୍ଗଳାଯୋଡ଼ିରେ ରଥଯାତ୍ରା ଧୁମ ଧାମରେ ପାଳିତ ହେଉଥିଲା। ରଥ ଟାଣିବାକୁ ଭକ୍ତଙ୍କ ଭିଡ଼ ବି ଲାଗୁଥିଲା। କିଛି ବର୍ଷ ହେଲା କୌଣସି କାରଣକୁ ନେଇ ଘୋଷଯାତ୍ରା ବନ୍ଦ ହୋଇ ଯାଇଥିଲା । ଚଳିତ ବର୍ଷ କିଛି ଭକ୍ତଙ୍କ ଆଗ୍ରହରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ହେଲେ ପୂଜକଙ୍କ ପାଉଣା ପାଇଁ ରଥରୁ ଓହ୍ଲାଇ ପାରୁନାହାନ୍ତି ଜଗତର ନାଥ ଜଗନ୍ନାଥ। ସୂଚନା ଅନୁସାରେ ପୂଜକ ପାଉଣା ୮ ହଜାର ମାଗିଥିଲେ । ମାତ୍ର ଭକ୍ତମାନେ ଯୋଗାଡ଼ କରି ୨ ହଜାର ଟଙ୍କା ଦେଇଥିଲେ । ବାକି ଅର୍ଥ ନପାଇବାରୁ ମହାପ୍ରଭୁଙ୍କୁ ରଥରୁ ଓହ୍ଲାଇବାକୁ ମନା କରିଛନ୍ତି ପୂଜକ। ସେଥିପାଇଁ ଆଜି ଯାଏଁ ରଥରେ ଚତୁର୍ଦ୍ଧାମୂର୍ତି ରହିଛ଼ନ୍ତି । ଯାହାକୁ ନେଇ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।