ସମାଜରେ ଆଜି ବି ରହିଛି ଅନେକ ଅପଶକ୍ତି, ରାବଣର ଦଶମୁଣ୍ଡ ସହ ସମାନ ଏହି ଅପଶକ୍ତି।

69

କନକ ବ୍ୟୁରୋ: ରାବଣ ଚରିତ୍ରକୁ ବିଭିନ୍ନ ପୂରାଣରେ ଭିନ୍ନ ଭିନ୍ନ ଭାବରେ ଚିତ୍ରଣ କରାଯାଇଛି । ମହାଜ୍ଞାନୀ, ପଣ୍ଡିତ ବ୍ରାହ୍ମଣ ରାବଣର ଚିତ୍ର ଓ ଚରିତ୍ରକୁ ନେଇ ବିଭିନ୍ନ ସମୟରେ ବିବାଦ ମଧ୍ୟ ହୋଇଛି । କିନ୍ତୁ ଗୋଟିଏ କଥା ସତ ପଣ୍ଡିତ ହୋଇ ବି ତାର ଅହଙ୍କାର ତାକୁ ଓ ତାର ସୁନାର ଲଙ୍କାକୁ ଛାରଖାର କରିଦେଇଥିଲା ।

ମହାଦେବଙ୍କ ସାଧନା କରି ଦଶଟି ଜୀବନ ପାଇଥିଲା ରାବଣ । ଏହି ଦଶଟି ଜୀବନର ରହିଥିଲା ଦଶଟି ମୁଣ୍ଡ । ଏହି ମୁଣ୍ଡଗୁଡିକୁ ଓ ଦଶଟି ଜୀବନକୁ ନେଇ ରାବଣ ମନରେ ରହିଥିଲା ଅହଂଭାବା କିନ୍ତୁ ଶେଷରେ ରାମଚନ୍ଦ୍ର ଏହି ଦଶଟି ମୁଣ୍ଡକୁ ବଧ କରି ରାବଣକୁ ମୃତ୍ୟୁଦଣ୍ôଡ ଦେଇଥିଲେ । ଏହି ଦଶଟି ମୁଣ୍ଡ ସହ ଦଶଟି ଅପଶକ୍ତି ନଷ୍ଟ ହୋଇଥିଲା । ଏହି ନକାରାତ୍ମକ ଭାବ ଗୁଡିକ ହେଉଛି କାମ, କ୍ରୋଧ,ମୋହ, ଲୋଭ, ମାଦ ବା ଗର୍ବ, ମାଶ୍ଚର୍ଯ୍ୟ, ଘୃଣା,ଭୟ,ବୁଦ୍ଧି, ଅହଂକାର ।

ଆଜିର ସମାଜରେ ବି ଏପରି ଅନେକ ଅପଶକ୍ତି ରହିଛି, ଯେଉଁ ଶକ୍ତି ଗୁଡିକ ସମାଜକୁ କଳୁଷିତ କରୁଛି ସେହି ଅପଶକ୍ତି ଗୁଡିକୁ ରାବଣର ସବୁ ମୁଣ୍ଡ ସହ ତୁଳନା କରିହେବ । ଆଜିର ସମାଜରେ ତାହା ରାବଣର ୧୦ ଟି ମୁଣ୍ଡ ସହ ସମାନ ।

ଦୁର୍ନୀତି: ଆଜିର ସମାଜ କବଳିତ କରିଛିି ଦୁର୍ନୀତି, ବ୍ୟଭିଚାରରେ । ପ୍ରତ୍ୟେକ ଦିନ ଖବର ଜରିଆରେ ଆମ ସମାଜରେ ଚାଲିଥିବା ଦୁର୍ନୀତିର ଖବର ସାମ୍ନାକୁ ଆସିଥାଏ । କେଉଁଠି ଭିଜିଲାନ୍ସ ରେଡ, ତ କେଉଁଠି ପ୍ରବର୍ତନ ନିର୍ଦ୍ଦେଶାଳୟର ଚଢାଉ । ଶହ ଶହ କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାସ ହେଉଛି ।

ଅନ୍ଧବିଶ୍ୱାସ: ଏକବିଂଶ ଶତାବ୍ଦୀରେ ନୂଆ ନୂଆ ଉପଲବ୍ଧି ହାସଲ କରୁଛି ମଣିଷ । ହେଲେ ଆଜି ବି ଅନ୍ଧବିଶ୍ୱାସକୁ ଦୂରେଇ ପାରିନି ଆମ ସମାଜ । ଆଜି ବି ଗୁଣିସନ୍ଦେହରେ ହତ୍ୟା କରାଯାଉଛି । ସାପ କାମୁଡିଲେ ଡାକ୍ତରଖାନା ନୁହେଁ ବରଂ ବିଷ ଝାଡିବା ପାଇଁ ଦିଶାରୀ ପାଖକୁ ନିଆଯାଉଛିା

ପ୍ରତାରଣା: ସ୍ୱାମୀ, ସ୍ତ୍ରୀକୁ ଦେଉଛି ପ୍ରତାରଣା । ସ୍ତ୍ରୀ, ସ୍ୱାମୀ ସହ କରୁଛି ଛଳନା । ବୈବାହିକ ସମ୍ପର୍କର ଏଭଳି କରୁଣ ରୂପ ଆଜି ବେଶ ଚର୍ଚ୍ଚାର ବିଷୟ ପାଲଟିଛି ଆମ ସମାଜରେ । ସ୍ୱାମୀ ଠାରୁ ପ୍ରତାରଣା ପାଇ ଶାଶୁ, ଶ୍ୱଶୁରଙ୍କ ନିର୍ଯାତନାର ଶିକାର ହେଉଛି ନାରୀ । ଆଉ ନ୍ୟାୟ ପାଇଁ ଶାଶୂଘର ବାହାରେ କରୁଛି ସତ୍ୟାଗ୍ରହ ।

ଘୃଣା: ମଣିଷ ଯେତିକି ଆଧୁନିକ ହେଉଛି ସେତିକି ନିମ୍ନମାନର ଚିନ୍ତାଧାରା ତାଠାରେ ଦେଖିବାକୁ ମିଳୁଛି । ଘୃଣା ଓ ନକରାତ୍ମକ ଚିନ୍ତାଧାରାରେ ଭରି ରହିଛି ମନୋବୃତି । ଏଭଳି ବି ଚିତ୍ର ସାମ୍ନାକୁ ଆସୁଛି ଯେଉଁଠି ମୃତ୍ୟୁ ପରେ ବି ସମ୍ପର୍କୀୟ ଶବକୁ ଛୁଉଁନାହାଁନ୍ତି ।

ନୃଶଂସତା: ଆଜି ଯେତିକି ଉନ୍ନତି ପଥରେ ଆଗଉଛି ମଣିଷ ସେତିକି ନୃଶଂସ ହୋଇଯାଉଛି । ଦୟା, କରୁଣ ଭାବନାଠାରୁ ବହୁ ଦୂରରେ । ଆଉ ଅତ୍ୟାଚାରର ସବୁ ସୀମା ଟପିଯାଉଛି । ଏପରିକି ପଶୁ, ପକ୍ଷୀଙ୍କୁ ବି ଛାଡୁନି । କଥା କହିପାରୁ ନଥିବା ନିରୀହ ପଶୁ ଉପରେ କରୁଛି ଅକଥନୀୟ ଅତ୍ୟାଚାର ।

ଅସହିଷ୍ଣୁତା: ସମ୍ପତି ଲୋଭରେ ଆଜି ନିଜ ରକ୍ତର ଭାଇକୁ ମାରିବାକୁ ପଛାଉନି ଭାଇ । ଏତିକି ଅସହିଷ୍ଣୁ ହୋଇ ଯାଉଛି । ନିଜ ଭାଇକୁ ବି ସହିପାରୁନି ।

ଅସଦାଚରଣ: ଗୋଟିଏ ପଟେ ମା ଦୁର୍ଗା ପୂଜା ପାଉଥିବାବେଳେ ମହିଳା ରୁପୀ ଦେବୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଉଛି । ପ୍ରତିକ୍ଷେତ୍ରରେ, ପ୍ରତ୍ୟେକ ସ୍ତରରେ ମହିଳା ଅସଦାଚରଣର ଶିକାର ହେଉଛି ।

ଲୋଭ: ଲୋଭ ମଣିଷକୁ ରାକ୍ଷସ କରିଦିଏ । ଲୋଭର ବସବର୍ତ୍ତୀ ହୋଇ ମଣିଷ ଯେକୌଣସି ସ୍ତରକୁ ଖସି ଯାଇପାରେ । ଉଦାହରଣ ସ୍ୱରୂପ ଦୁର୍ଗାଙ୍କ ପ୍ରତିମୂର୍ତ୍ତୀ ସାମ୍ନାରେ ଜଣେ ମହିଳାଙ୍କ ବେକରୁ ଆଉ ଜଣେ ମହିଳା ସୁନା ଚେନ୍ ଚୋରି କରୁଥିବାର ଚିତ୍ର ସାମ୍ନାକୁ ଆସିଥିଲା ।

ରାଗ: ରାଗ କେତେ ଭୟଙ୍କର ତାର ଅନେକ ଚିତ୍ର ଏବେ ସମାଜରେ ଦେଖିବାକୁ ମିଳୁଛି । ଆଉ ଏହି ରାଗକୁ ବୃଦ୍ଧି କରୁଛି ନିଶା । ନିଶା ପାଇଁ ନିଜ ଜନ୍ମକଲା ମାଆକୁ ପୁଅ ମାରି ଦେଉଥିବାର ଚିତ୍ର ସମାଜର କଳୂଷିତ ଚିନ୍ତାଧାରା ପଦାରେ ପକାଇଛି ।

ସଠତା: ଠକାମୀରେ ଆମ ସମାଜ ଏକ ନମ୍ବର ରହିଛି । ଏମିତିକି ଔଷଧକୁ ନକଲି କରିବା ପାଇଁ ପଛାଉ ନାହାଁନ୍ତି କିଛି ଅସାଧୁ ଲୋକେ । କଟକ ଓ ଭୁବନେଶ୍ୱରରେ ଏଭଳି ନକଲି ଔଷଧର ଖବର ସାମ୍ନାକୁ ଆସିଥିବାବେଳେ କିଡନୀ ରୋଗୀଙ୍କୁ ଦିଆଯାଉଛି ନିଷିଦ୍ଧ ଔଷଧ ।